କନକ ବ୍ୟୁରୋ : ଥାନା ଆଗରେ ମା’କୁ ଖୋଜୁଛି ଛୁଆ । ୨ ମାସର ଛୁଆ ଠାରୁ ମା’କୁ ଅଲଗା କରିଦେଇଛି ମଣିଷ । ମା’ ତଳି ଖାଇଲା ବୋଲି ୪ ଦିନ ହେଲା ଛୁଆ ଏକା ହୋଇଯାଇଛି । ଜମି ମାଲିକ ମାଆକୁ ନେଇଯାଇଛି   । ଏପଟେ ଛୁଆ ଖିଆ ପିଆ ଛାଡି ଦେଇଛି । ଥାନା ଆଗରେ ଠିଆ ହୋଇ ଖାଲି ରଡି ଛାଡୁଛି । ବିକଳ ହୋଇ ମାଆକୁ ଡାକୁଛି । କାଳେ କିଏ ତା’ ଡାକ ଶୁଣିବ, ମା’କୁ ଫେରାଇ ଦେବ । ହେଲେ ଏ ନିଷ୍ଠୁର ମଣିଷ କାନରେ ପଡୁନି କଅଁଳ ବାଛୁରୀର ଡାକ । ପାଟି ଖୋଲି କିଛି କହିପାରୁନଥିବା ବାଛୁରି, ମାଆକୁ ଫେରି ପାଇବା ଆଶାରେ ଥାନାକୁ ଆସିଛି ।

Advertisment

ଏଭଳି ସ୍ପର୍ଶକାତର ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଚଂଳ ଥାନା ପରିସରରୁ ଆସିଛି । ଗ୍ରାମାଚଂଳ ଥାନା ନିକଟ ଗେଲପୁର ଗାଁର ପୂଜା ମଲ୍ଲିକଙ୍କ ଗାଈ ୪ ଦିନ ତଳୁ ହଜିଯାଇଥିଲା । ବହୁ ଖୋଜାଖୋଜି ପରେ ଜଣାପଡିଲା, ସେହି ଗାଁର ସନା ଜେନା ଗାଇଟିକୁ ବାନ୍ଧି ରଖିଛନ୍ତି । କାହିଁକି ଗାଇକୁ ଅଟକ ରଖିଛନ୍ତି ବୋଲି ପଚାରିବାରୁ, ସନା କହିଥିଲେ, ଗାଇ ଧାନ ତଳି ଖାଇଯାଇଛି, ତେଣି ତାକୁ ରଖିଛନ୍ତି । ୨ ହଜାର ଟଙ୍କା ଦେଲେ ଗାଇକୁ ଛାଡିଦେବେ । ପୂଜା, ଫୋନ-ପେରେ ୨ ହଜାର ଟଙ୍କା ଦେଇଥିଲେ । ହେଲେ ଗାଇକୁ ଛାଡିଲେ ନାହିଁ ବରଂ ପୁଣି ୧୦ ହଜାର ଟଙ୍କା ଦାବି କଲେ । ବହୁ କାକୁତି ମିନତି କରିବା ପରେ ବି କଅଁଳ ବାଛୁରିଟାର ମାଆକୁ ଛାଡିଲେ ନାହିଁ ସନା । ତେଣୁ ବାଛୁରିକୁ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୂଜା ମଲ୍ଲିକ ।

କେଇ ବିଡା ଧାନ ତଳି ପାଇଁ ନିଷ୍ଠୁର ହୋଇଯାଇଛନ୍ତି ଜଣେ ବ୍ୟକ୍ତି । ମଣିଷପଣିଆକୁ ହରାଇ ଗୋଟିଏ ୨ ମାସର ଛୁଆ ଠାରୁ ତା ମାଆକୁ ଅଲଗା କରିଦେଇଛନ୍ତି ।