କନକ ବ୍ୟୁରୋ: ହଜିଯାଉଛି ଗୋଚର ଜମି । ମାଲାମାଲ ହେଉଛନ୍ତି ଜମି ଦଲାଲ । ନୀଳଗିରିରେ ସକ୍ରିୟ ବାଲି ମାଫିଆ । କୌଣସି ପଦକ୍ଷେପ ନିଆଯାଉନଥିବା ବେଳେ ପ୍ରଶାସନ ପାଲଟିଛି ନୀରବଦ୍ରଷ୍ଟା । ଶେଷରେ ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ଅତିଷ୍ଠ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଗାଁର ଲୋକମାନେ । ନୀଳଗିରି ତହସିଲ ଅଧୀନରେ ଥିବା ଜାମୁଡିହାର ବାଘମରା ଗାଁରେ ଜଙ୍ଗଲ ଜମି ଓ ଗୋଚର ଜମି ଉପରେ ଜମି ମଫିଆଙ୍କ ଲୋଲୁପ ଦୃଷ୍ଟି । ଗୋଚର ଜମି ସବୁ ହରିଲୁଟ କରାଯାଉଥିବା ବେଳେ ଜଙ୍ଗଲ ଜମି ପଦା ହୋଇ ଗଲାଣି । ଗାଁ ପାଖରେ ଅହରହ ବ୍ଲାଷ୍ଟିଂ ଯୋଗୁ ଗାଁର ଲୋକେ ଅତିଷ୍ଠ ହୋଇପଡିଲେଣି । ତାସହିତ ଘର କାଂଥ ସବୁ ଫାଟି ଆଁ କଲାଣି । ଯାହାକୁ ନେଇ ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି । ଖାଲି ଘର କାନ୍ଥ ନୁହେଁ ରାସ୍ତାର ଉଭୟ ପାର୍ଶ୍ବରେ ଖୋଳି ହୋଇ ଗାତ ସୃଷ୍ଟି ହୋଇଛି । ଏହାସହ ବଡ ବଡ ଭାରୀଯାନ ସବୁ ପଥର ବୋହି ଚାଲିଛି । ଯାହାପାଇଁ ଗାଁରେ ଅନେକ ପ୍ରକାରର ସମସ୍ୟା ଉପୁଜିବାରେ ଲାଗିଛି । ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିବା ସହ ସୁରକ୍ଷା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Advertisment

ସେହିଭଳି ନୀଳଗିରି ପୁନ୍ଦା ଅଂଚଳରେ ଥିବ ସୋନ ନଦୀରୁ ମଧ୍ୟ ବେଆଇନ୍ ଭାବେ ଶହଶହ ବାଲି ଟ୍ରିପ୍ ଚାଲାଣ କରାଯାଥିବା ଅଭିଯୋଗ ହୋଇଛି । ଗୋଟିଏ ଘାଟିରୁ ବାଲି ସରିଯିବା ପରେ ବାଲି ମାଫିଆ ମାନେ ପୁଣି ଅନ୍ୟ ଏକା ବାଲି ଘାଟକୁ ଖୋଳି ବାଲି ଚାଲାଣ କରୁଛନ୍ତି । କାଠପାଳ ଅଂଚଳରେ ବାଲି ମାଫିଆଙ୍କ ରାଜ୍ ଚାଲିଛି । ବେଧଡକ ଭାବେ ବାଲି ଚାଲାଣ କରାଯାଉଥିବାରୁ ନଦୀ କୂଳିଆ ଗାଁ ପ୍ରତି ବିପଦ ରହିଥିବାରୁ ଗାଁର ଲୋକ ବିରୋଧ କରିଛନ୍ତି । ହେଲେ ଲୋକଙ୍କୁ ଧମକ ଚମକ ଦେଇ ଲୁଟପାଟ ଚଳାଇଥିବାରୁ ଗାଁର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି । ଯାହାଫଳରେ ଲୋକେ ବାଧ୍ୟ ହେଇ ତହସିଲଦାରଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ନଦୀକୂଳିଆ ଗାଁଗୁଡିକରେ ଲଗାତର ଭାବେ ବ୍ଲାଷ୍ଟିଂ ସହ ବାଲି ଖୋଳାଯାଉଥିବାରୁ ଗାଁ ପ୍ରତି ବିପଦ ରହିଛି । ଏଥିପ୍ରତି ଗୁରୁତ୍ବ ଦିଆଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପରିଲେ ସ୍ଥାନୀୟ ଗ୍ରାମବାସୀ ଏହି ଭଳି ବିପଦରୁ ବର୍ତିଯାଇପାରିବେ ।