ହାତରେ ହାତକଡ଼ି, ବେକରେ ଫୁଲମାଳ । ଜେଲରୁ ଆସି ଏମିତି ନାମାଙ୍କନ ଭରିଲେ ବୁଲେଟ୍ ବାବା ।

616

କନକ ବ୍ୟୁରୋ : ହାତକଡ଼ି ଲଗାଇ ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଲେ ଆଶାୟୀ ପ୍ରାର୍ଥୀ । ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କଲେ ଓ ପୁଣି ଜେଲକୁ ଫେରିଆସିଲେ । ବିହାରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୨୪ରେ ବିହାର ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ନାମାଙ୍କନ ତାରିଖ ଶେଷ ହେବା ପରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଚାଲିଛି । ଏହି କ୍ରମରେ ଆଜି ବିହାରର ଗୟା ଜିଲ୍ଲାର ଟିକାରି ବ୍ଲକର ଲାଓ ଗ୍ରାମପଞ୍ଚାୟତର ସରପଞ୍ଚ ପାଇଁ ନାମାଙ୍କନ ଦାଖଲ କରିବାକୁ ପ୍ରାର୍ଥୀ ଆସିଥିଲେ ।

ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ଆଶୁତୋଷ କୁମାର ମିଶ୍ର ଓରଫ ବୁଲେଟ ବାବାଙ୍କୁ ହାତରେ ହାତକଡ଼ି ପକାଇ ପୁଲିସ ଆଣିଥିବାବେଳେ ତାଙ୍କ ସମର୍ଥକମାନେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିଥିଲେ । ନାମାଙ୍କନ ଦାଖଲ ପରେ ପୁଣିଥରେ ପୁଲିସ ତାଙ୍କୁ ଜେଲକୁ ନେଇଯାଇଥିଲା । ସୂଚନା ମୁତାବକ ବୁଲେଟ ବାବାଙ୍କ ବିରୋଧରେ ଆର୍ମସ୍ ଆକ୍ଟର ଏକ ମାମଲା ରୁଜୁ ହୋଇଥିଲା । ଏଥି ସହିତ ବିହାର ବିଧାନସଭା ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏଭଳି ପରିସ୍ଥିତିରେ ୱାରେଣ୍ଟ ଜାରି ହେବା ପରଠାରୁ ସେ ଫେରାର ଥିଲେ ।

ତେବେ, ଅଗଷ୍ଟ ୧୭, ୨୦୨୧ ରେ ସେ ଗୟା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଯେଉଁଠାରୁ ତାଙ୍କୁ ଗୟା କେନ୍ଦ୍ରୀୟ ଜେଲକୁ ପଠାଯାଇଥିଲା । ତେବେ ଆଜି ତାଙ୍କୁ ଗୟା କେନ୍ଦ୍ରୀୟ ଜେଲରୁ ବ୍ୟାପକ ପୁଲିସ ସୁରକ୍ଷାରେ ଟିକାରି ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା, ଯେଉଁଠାରେ ସେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲା । ସେ କହିଛନ୍ତି ଯେ ରାଜନୈତିକ ଷଡଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଛି । କିନ୍ତୁ ଜନସାଧାରଣ ଏବଂ କୋର୍ଟ ଉପରେ ତାଙ୍କର ବିଶ୍ୱାସ ରହିଛି । ସେ ପୁନର୍ବାର ସରପଞ୍ଚ ହେବେ ଓ ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେବେ ।