କିଛି ଘଣ୍ଟାର ଶାନ୍ତି ପରେ ପୁଣି ପାକିସ୍ତାନରେ ଅଶାନ୍ତ ମାହୋଲ । ଇମ୍ରାନ ଖାନଙ୍କ ଜାମିନକୁ ବିରୋଧରେ ସୁପ୍ରିମକୋର୍ଟକୁ ଘେରାଉ କଲେ ବିରୋଧୀ ।

638

କନକ ବ୍ୟୁରୋ: କିଛି ଘଣ୍ଟାର ଶାନ୍ତିପରେ ପୁଣି ଜଳୁଛି ପାକିସ୍ତାନ । ଲାହୋର କୋର୍ଟରେ ମୁହାଁମୁହିଁ ହୋଇଛନ୍ତି ଇମ୍ରାନଙ୍କ ସମର୍ଥକ ଓ ବିରୋଧୀ । ଇସଲାମାବାଦ କୋର୍ଟ ସମସ୍ତ ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଉ ଏହାକୁ ବିରୋଧ କରି ଲାହୋର କୋର୍ଟ ବାହାରେ ହଙ୍ଗାମା କରିଛନ୍ତି ବିରୋଧୀ ।

  • ଇମ୍ରାନ ଖାନଙ୍କୁ ଜାମିନ ପରେ ତାତିଲେ ବିରୋଧୀ
  • ଲାହୋର କୋର୍ଟକୁ ଘେରିଲେ, ହଙ୍ଗାମା କଲେ
  • କୋର୍ଟ ବାହାରେ ସମର୍ଥକ ଓ ବିରୋଧୀ ମୁହାଁମୁହିଁ

ପାକିସ୍ତାନ ଲାହୋର କୋର୍ଟକୁ ସୋମବାର ଘେରାଉ ହୋଇଥିଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ଆଉ କିଛି ତାଙ୍କ ବିରୋଧୀ ଏହି ଘେରାଉ କରିଥିଲେ । ଇମ୍ରାନ ଖାନଙ୍କୁ ସବୁ ମାମଲାରେ ଇସଲାମାବାଦ କୋର୍ଟ ଜାମିନ ପ୍ରଦାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି । ବିରୋଧ ସମୟରେ ସମଥର୍କ ଓ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିବା ସୂଚନା ରହିଛି । ଇମ୍ରାନଙ୍କ ଜାମିନକୁ ବିରୋଧ କରି ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ ବା ପିଡିଏମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

  • ପାକିସ୍ତାନ ସେନା ଉପରେ ବର୍ଷିଲେ ଇମ୍ରାନ
  • ଚର୍ଚ୍ଚାରେ ଇମ୍ରାନଙ୍କ ଟ୍ୱିଟ୍
  • କହିଲେ ଜେଲ ପଠାଇବାକୁ ସେନା କରୁଛି ଷଡଯନ୍ତ୍ର

ସେପଟେ ଇମ୍ରାନଙ୍କ ଦଳ ପିଟିଆଇ ଟୁଇଟ କରି ସେନା ଉପରେ ବର୍ଷିଛନ୍ତି । ପିଟିଆଇର ଯେଉଁ ନେତାଙ୍କୁ ସେନାର ଇସାରାରେ ଗିରଫ କରାଯାଇଛି ସେମ।।ନଙ୍କ ଫଟୋ ଜାରି କରିଛି ଦଳ । ଏଥିସହ ପିଟିଆଇ କହିଛି କୋର୍ଟ ଉପରେ କବଜା କରିବା ପାଇଁ ସେନା ଗୁଣ୍ଡାଗର୍ଦ୍ଦି କରିବାକୁ ମଧ୍ୟ ପଛାଉନି । ଅନ୍ୟପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଟ୍ୱିଟକୁ ନେଇ ଏବେ ହଟ୍ଟଚମଟ ଦେଖାଦେଇଛି ।

ଆଗାମୀ ୧୦ ବର୍ଷ ପାଇଁ ତାଙ୍କୁ ଜେଲରେ ରଖିବା ପାଇଁ ଯୋଜନା କରାଯାଉଥିବା ସେ ଟ୍ୱିଟ୍ କରିଛନ୍ତି । ସେନା ଦେଶଦ୍ରୋହ ଆରୋପରେ ତାଙ୍କୁ ୧୦ ବର୍ଷ ପାଇଁ ଜେଲରେ ରଖିବାକୁ ଯୋଜନା କରୁଥିବା ସେ ଟ୍ୱିଟରେ ଲେଖିଛନ୍ତି । ବେଶ କିିଛି ଦିନ ହେବ ସେନା ଓ ଇମ୍ରାନଙ୍କ ମଧ୍ୟରେ ଛକାପଂଝା ଚାଲିଛି । ତେବେ ୯ ତାରିଖରେ ଇମ୍ରାନଙ୍କୁ ପାକିସ୍ତାନ ରେଂଜରର୍ସ ଗିରଫ କରିବା ପରେ ଜଳିଉଠିଥିଲା ପାକିସ୍ତାନ । ଆଉ ଏବେ ଇମ୍ରାନଙ୍କ ଜାମିନକୁ ନେଇ ହଙ୍ଗାମା ଆରମ୍ଭ କରିଛନ୍ତି ବିରୋଧୀ ।