ଅର୍ପଣ ରଥ ବୁଲି ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଛି ଗୁଆ ଚାଉଳ: ବିରୋଧୀ ଉଠାଇଲେ ପ୍ରଶ୍ନ, ପଚାରିଲେ କୁଆଡେ ଯିବ ସଂଗ୍ରହ ହୋଇଥିବା ଏତେ ଚାଉଳ

297

କନକ ବ୍ୟୁରୋ: ଲୋକଙ୍କ ମନରେ ‘ଚାଉଳ’ ପ୍ରଶ୍ନ ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ବୁଲୁଥିବା ଅର୍ପଣ ରଥକୁ ନେଇ ତେଜିଛି ରାଜନୀତି । ଲୋକଙ୍କ ଠାରୁ ସଂଗ୍ରହ ହେଉଥିବା ଗୁଆ, ଚାଉଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ନେଇ ବୟାନବାଜି ଜାରି ରହିଛି ।

ରାତି ପାହିଲେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣ ଉତ୍ସବକୁ ଦବ୍ୟ ଓ ଭବ୍ୟ ରୂପ ଦେବା ପାଇଁ ମହୋତ୍ସବ ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର । ପ୍ରତିଟି ଓଡ଼ିଆଙ୍କୁ ମହାପ୍ରଭୁଙ୍କ କାର୍ଯ୍ୟରେ ଅଂଶିଦାର କରିବା ପାଇଁ ଗାଁ ଗାଁରେ ବୁଲିଛି ଅର୍ପଣ ରଥ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ଅର୍ପଣ କରି ଭକ୍ତିଭାବ ଦେଖାଇବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ହେଲେ ଜଗନ୍ନାଥଙ୍କ ଉର୍ଦ୍ଦେଶ୍ୟରେ ଅର୍ପଣ ହେଉଥିବା ଚାଉଳ ହେବ କ’ଣ ତାକୁ ନେଇ ପ୍ରଶ୍ନ ଉଠିଛି । ଜଗନ୍ନାଥଙ୍କ ପାଖରେ ଚାଉଳ ପହଂଚିବ ନା’ ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଏପଟେ ଅର୍ପଣ ରଥରେ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧାର ଦାନକୁ ନେଇ ସକରାତ୍ମକ ଭାବ ଦେଖାଇଛି ଆଉ କିଛି ଲୋକ । ସେମାନଙ୍କ କହିବାର କଥା ହେଲା, ଭଗବାନଙ୍କୁ ଦେବା ପାଇଁ ଆମେ କିଏ? ଭଗବାନଙ୍କ କାମରେ ସାମିଲ ହେବା ଆମ ପାଇଁ ଭାଗ୍ୟ । ସେଥିପାଇଁ ହଜାର ହଜାର ଲୋକ ଭକ୍ତିଭାବ ନେଇ ଆଗେଇ ଆସିଛନ୍ତି ବୋଲି ଆଉ କିଛି ଲୋକ ନିଜ ପ୍ରତିକ୍ରିୟରେ କହିଛନ୍ତି ।

ଅର୍ପଣ ରଥରେ ଗୁଆ ଓ ଚାଉଳ ଅର୍ପଣ କରିଥିବା ଶ୍ରଦ୍ଧାଳୁଙ୍କ ଭିନ୍ନ ଭିନ୍ନ ମତ ବାହାରେ ଶ୍ରଦ୍ଧାର ଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିରୋଧୀଙ୍କ ପ୍ରଶ୍ନ ହେଉଛି-

ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି- ସରକାରୀ ପଇସାରେ ଭକ୍ତିଭାବ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ତେବେ ଓଡ଼ିଆ ଲୋକ ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ରଖି ଚାଉଳ ହେଉଛନ୍ତି । ସେ ଚାଉଳ ଓ ଟଙ୍କା ବାଟ ମାରଣ ନହେଉ, ଭୋଜିରେ ନଲାଗୁ । ଏପଟେ କଂଗ୍ରେସ କହିଛି-ଜଗନ୍ନାଥ ହାତ ରଖି ନାହାଁନ୍ତି ମାଗିବା ପାଇଁ, ହୃଦୟ ରଖିଛନ୍ତି ଦେବା ପାଇଁ । ଭକ୍ତର ବିଶ୍ୱାସ ଭାଙ୍ଗିଛନ୍ତି ଏବଂ ଚାଉଳ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଏପଟେ ବିଜେଡି କହିଛି- ଲୋକ ଭକ୍ତିର ସହ ଯୋଡ଼ି ହୋଇଛନ୍ତି, ଚାଉଳ ଠିକ୍ ଜାଗାରେ ଲାଗିବ ।

ରାଜନୀତିର ଏହି ବୟାନବାଜି ଭିତରେ ଆସନ୍ତାକାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆଉ ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ ।