ସରକାରଙ୍କ ଉପରେ ପୁଣି ବର୍ଷିଲେ ବିରୋଧୀ ଦଳ ନେତା: ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ଉପରେ ଉଠାଇଲେ ପ୍ରଶ୍ନ

106

କନକ ବ୍ୟୁରୋ: ନବଦାସ ହତ୍ୟାକାଣ୍ଡରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ପ୍ରହାର କରୁଥିବା ବିରୋଧୀଦଳ ନେତାଙ୍କ ପୁଣି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଛି । ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାେବେଳେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ଓ ସ୍ପୋର୍ଟସ ଷ୍ଟାର ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରେସମିଟ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି, ଗୃହରେ ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସୀମା ବିବାଦ ଓ ରାଜ୍ୟ ବଜଟେର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । କିନ୍ତୁ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଛାଡି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତାରେ ବିଧାନସଭା ନ ପ୍ରାୟୋଜିତ ପୁରସ୍କାର ଗ୍ରହଣ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ସରକାରୀ ପ୍ରାୟୋଜିତ । ଜୟନାରାୟଣଙ୍କ ଏହି ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେଡି । ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପ୍ରଶ୍ନ କରିଛନ୍ତି, ଯଦି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରାୟୋଜିତ, ତେବେ ଜାତୀୟ ସ୍ତରରେ ମିଳୁଥିବା ପୁରସ୍କାର କଣ ମୋଦିଙ୍କ ପ୍ରାୟୋଜିତ ।

ସେପଟେ ପ୍ରଶ୍ନ କାଳରେ ବିରୋଧୀଙ୍କୁ ଟାର୍ଗଟ କରି ତେରଛା ବାଣ ମାରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଅନ୍ତୁ ନହେଲେ ପାପ ଲାଗିବ । ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ରହି କେମିକାଲ ଠାରୁ ଆରମ୍ଭ କରି ଆଇଟି ଓ ପ୍ଲାଷ୍ଟିକ ସେକ୍ଟରରେ ଓଡ଼ିଶାକୁ ପୁଂଜି ଆଣିବା ପାଇଁ ପୁଂଜିପତି ମାନଙ୍କ ପାଖରେ ବସିଛନ୍ତି । ୧୦ଲକ୍ଷ କୋଟି ଟଙ୍କାର ଇଣ୍ଡେଂଟ ଇନଭେଷ୍ଟମେଂଟ ଆସିଛି । ଶିଳ୍ପ କ୍ଷେତ୍ରରେ ଯେଉଁ ପୁଂଜି ନିବେଶ ହେଉଛି ତାର ଲକ୍ଷ୍ୟ ହେଉଛି ନିଯୁକ୍ତି ସୃଷ୍ଟି କରିବା ।

ସେପଟେ ମଙ୍ଗଳବାର ଭିନ୍ନ ଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡି ସଦସ୍ୟମାନେ ବିଧାନସଭାରେ ପ୍ରତିବାଦ କରିଥିଲେ । ଶୂନ୍ୟକାଳରେ ଗୃହରେ ବିଜେଡିର ନାରାବାଜି ପରେ ଅପରାହ୍ଣ ୪ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ୪ଟା ପରେ ସର୍ବଦଳୀୟ ବୈଠକ ବସିଥିଲା ଓ ଗୃହ ସ୍ୱାଭାବିକ ହୋଇଛି ।