ବିରୋଧୀଙ୍କ ପାଇଁ ମୁଁ ଡାଇଭଲ ବଟିକା । ଓଡିଶାରେ ବିରୋଧୀ ଦଳ ହେଉଛନ୍ତି ଓଡିଶା ବିକାଶର ବିରୋଧୀ । ବିଧାନସଭାରେ ବିରୋଧୀଙ୍କୁ ଅରୁଣଙ୍କ ଶାଣିତ ପ୍ରତି ଆକ୍ରମଣ ।

158

କନକ ବ୍ୟୁରୋ: “କୋର୍ଟର ରାୟ ଆସିଲା, ଗତକାଲି ମୋ ନା ଉଠାଇ ମୋର ବନ୍ଧୁ ପ୍ରଧାନ ବାବୁ ଓ ତାଙ୍କର ଅନୁଗତମାନେ ଅପପ୍ରଚାର କଲେ । ହେଲେ ଏବେ ସେ ତାର ଜବାବ ପାଉଛନ୍ତି । ଓଡିଶାରେ ବିରୋଧୀ ଦଳ ନିଜର ଯୋଗ୍ୟତା ହରେଇସାରିଲେଣି”, ଗୁରୁବାର ବିଧାନସଭା ବଜେଟ୍ ଅଧିବେଶନର ଶୂନ୍ୟକାଳରେ କିଛି ଏପରି ଢଙ୍ଗରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ ।

ବିଧାନସଭାରେ ବିରୋଧୀ ଅର୍ପଣ ରଥ, ଉଷୁନା ଚାଉଳ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ବିଧାୟକ ଅରୁଣ ସାହୁ ମଧ୍ୟ ବିରୋଧୀଙ୍କୁ ଜବାବ୍ ଦେଇଛନ୍ତି । କହିଛନ୍ତି, ବିକାଶକୁ ନେଇ ପ୍ରଶ୍ନ ଉଠାଇବା ହେଉଛି ବିରୋଧୀଙ୍କ କାମ । ବିଭିନ୍ନ ତରିକାରେ ସେମାନେ ବିକାଶକୁ ବିରୋଧ କରିବେ । ହେଲେ ବିରୋଧୀ ଦଳ ଭୂମିକା ନିଭେଇବା ପାଇଁ କିନ୍ତୁ ସେ ଯୋଗ୍ୟତା ହରେଇଲେଣି ।

ଅନ୍ୟପଟେ ପରିକ୍ରମା ପ୍ରକଳ୍ପକୁ ସେମାନେ ବିରୋଧ କରିଚାଲିଛନ୍ତି । ବିଭ୍ରାନ୍ତକାରୀ କଥା କହି ଗୋଟେ ସରକାରକୁ ବଦନାମ କରିବାକୁ ଚାହୁଛନ୍ତି । ହେଲେ ତାର ଫଳ କଣ ଆସିଲା ସମସ୍ତେ ଜାଣିଛନ୍ତି । ବିରୋଧୀ ପାଇଁ ସେମାନେ ଯୋଗ୍ୟ କି ନୁହେଁ, ଆଗକୁ ଓଡିଶା ବାସୀ ଏହାର ଜବାବ ଦେବେ । ତେବେ ଓଡିଶାରେ ବିରୋଧୀ ଦଳ ଗୁଡିକ ହେଉଛନ୍ତି ଓଡିଶାର ବିରୋଧୀ, ଓଡିଶା ବିକାଶର ବିରୋଧୀ ଏବଂ ଓଡିଶା ଉନ୍ନତିର ବିରୋଧୀ । ଗାଁ ଲୋକଙ୍କ ବିକାଶ ହେଲେ ସେମାନଙ୍କୁ କଷ୍ଟ ହେଉଛି ବୋଲି ଅରୁଣ ସାହୁ କହିଛନ୍ତି ।

ଖାଲି ସେତିକି ନୁହେଁ, ବିରୋଧୀଙ୍କୁ ତାତ୍ସଲ୍ୟ କରି ଅରୁଣ ସାହୁ କହିଛନ୍ତି ଯେ, ଶେଷ ଅଧିବେଶନରେ ଟିକେ ପଶ୍ଚାତ୍ୟାପ କର ଓ ଅନୁତାପ କର । ଓଡିଶାବାସୀ ଆପଣମାନଙ୍କୁ କ୍ଷମା କରିବେ ନାହିଁ । ଆଉ କିଛି ପରେ ନିର୍ବାଚନରେ ଓଡିଶାବାସୀ କ୍ଷମା ଦେବେନି । ବିକାଶକୁ ବିରୋଧ କରି ଭାରତ ବର୍ଷରେ କେହି ଜିତି ନାହାଁନ୍ତି, କି ଆପଣମାନେ ଜିତି ପାରିବେନି ବୋଲି କହିଛନ୍ତି କହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ ।

ସୂଚନାଯୋଗ୍ୟ ଯେ, ଏଥର ଆରମ୍ଭରୁ ସରଗରମ ରହିଛି ବିଧାନସଭା । ଗୋଟିଏ ପଟେ ବିରୋଧୀ ଅର୍ପଣ ରଥ ଓ ଉଷୁନା ଚାଉଳ ବିବାଦକୁ ନେଇ ସରକାରକୁ ଘେରୁଥିବାବେଳେ, ଅନ୍ୟପଟେ ପରୀ ହତ୍ୟାକାଣ୍ଡ ଘଟଣା ନେଇ ବିରୋଧୀ ବିଜେପିକୁ ଘେରିଛି ଶାସକ ଦଳ । ଆଉ ଏହାରି ଭିତରେ ଆଜି ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।