ବିଜେପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଜଣେ ମାତ୍ର ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତିି ଗର୍ଭବତୀ ।

184

କନକ ବ୍ୟୁରୋ: ବରଗଡ ବିଜେପୁରରେ ସ୍ୱସ୍ଥ୍ୟ ସେବାର ବିକଳ ଚିତ୍ର । ଜଣେ ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ନା ଅଛନ୍ତି ଡାକ୍ତର, ନା କେହି ସ୍ୱାସ୍ଥ୍ୟକର୍ମୀ । ପ୍ରସବ ପାଇଁ ଆସିଥିବା ଗର୍ଭବତୀଙ୍କୁ ଘଂଟାଘଂଟା ଆମ୍ବୁଲାନ୍ସ ଭିତରେ ଅପେକ୍ଷା କରିବାକୁ ପଡୁଛି । … ହସ୍ପିଟାଲରେ ସବୁବେଳେ ତାଲା ଝୁଲୁଛି । ଖବର ପାଇ ଆମେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଲା ବେଳକୁ ଏକ ଆମ୍ବୁଲାନ୍ସରେ ଆସି ପହଂଚିଥିଲେ ଜଣେ ଗର୍ଭବତୀ । ପ୍ରାୟ ୧ ଘଂଟା ସେହି ଆମ୍ବୁଲାନ୍ସରେ ଅପେକ୍ଷା କରି ରହିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷା କର୍ମୀ ଜଣକ ଫୋନ କରି ଡାକ୍ତରଙ୍କୁ ଡକାଇଥିଲେ । ଆଉ ଖବର ପାଇ ପହଂଚିଥିଲେ ଏଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ।

ତେବେ ଏହି ହସ୍ପିଟାଲ ଉପରେ ଆଖପାଖ ଅଂଚଳର ପ୍ରାୟ ୩୦ଟି ଗାଁର ଲୋକ ନିର୍ଭର କରନ୍ତି । ହେଲେ ଏଠାରେ କେହି ଡାକ୍ତର ରହୁନାହାନ୍ତି । ସେହିପରି ନର୍ସ କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀ ବି ନାହାନ୍ତି । ଏପରିକି ଡାକ୍ତରଖାନାରେ ଆମ୍ବୁଲାନ୍ସଟିଏ ବି ନାହିଁ । ସୁକ୍ୟୁରିଟି ଗାର୍ଡଙ୍କ କହିବା ହେଲା କେହି ଗୁରୁତର ରୋଗୀ ଆସିଲେ, ଏହିପରି ଫୋନ କରି ଡାକ୍ତରଙ୍କୁ ଡକାଇଥାନ୍ତି । ବଡକଥା ହେଉଛି ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ସିଏଚସିକୁ ପିଏଚସି ଭାବେ ଘୋଷଣା କରାଯାଇଥିଲା । ଆବଶ୍ୟକତା ଅନୁଯାୟୀ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେବା ସହ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସ୍ୱସ୍ଥ୍ୟ ଉପକରଣ ଯୋଗାଇ ଦେବାନେଇ ଘୋଷଣା କରାଯାଇଥିଲା । ହେଲେ ଏଠାକାର ସ୍ୱାସ୍ଥ୍ୟସେବା ଦେଖିଲେ ତାହା କେବଳ ଘୋଷଣାରେ ସୀମିତ ରହିଯାଇଥିବା ଅନୁମାନ ହେଉଛି ।