ବିଶ୍ୱର ୨୫ଟି ଦେଶରୁ ୨୦୦ରୁ ଅଧିକ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ : ଆମେରିକା ଓ ୟୁଏଇରୁ ଓମିକ୍ରନ ପଜିଟିଭ୍ ଠାବ୍

606

କନକ ବ୍ୟୁରୋ : ଦେଶରୁ ଦେଶକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଏପର୍ଯ୍ୟନ୍ତ ବିଶ୍ୱର ୨୫ ରାଷ୍ଟ୍ରରୁ ୨ଶହରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ବୁଧବାର ଆମେରିକାର କାଲିଫର୍ଣ୍ଣିଆରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସେ କିଛି ଦିନ ତଳେ ଦକ୍ଷିଣଆଫ୍ରିକାରୁ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ୟୁଏଇରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣଙ୍କ ଆଫ୍ରିକୀୟ ନାଗରୀକ ଓ ସେ ନିକଟରେ ୟୁଏଇକୁ ଆସିଥିଲେ । ଆଗକୁ ଅନ୍ୟ ଦେଶରୁ ମଧ୍ୟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନା ଥିବା କହିଛନ୍ତି ହୁ ମୁଖ୍ୟ ।

ଓମିକ୍ରନ କେତେ ମାରାତ୍ମକ ହେବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ଦକ୍ଷିଣଆଫ୍ରିକାରୁ ଯେଉଁ ଚିତ୍ର ଆସିବାରେ ଲାଗିଛି ତାହା ଭୟ ବଢ଼ାଇ ଦେଇଛି । ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ମଙ୍ଗଳବାର ୪ ହଜାର ୩୭୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୁଧବାର ୮ ହଜାର ୫୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୧ରେ ଦକ୍ଷିଣଆଫ୍ରିକାରେ ୨୪ଘଂଟାରେ ମାତ୍ର ୧୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଡେଲଟା ଭ୍ୟାରିଆଂଟ ଯେତେବେଳେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା, ସେତେବେଳେ ଜୁଲାଇ ୩ରେ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଏହା ଧିରେ ଧିରେ କମି ଚାଲିଥିଲା । କିନ୍ତୁ ଏବେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯିବା ଚିନ୍ତା ବଢ଼ିଯାଇଛି । ଓମିକ୍ରନ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି କି ନାହିଁ ଜଣାପଡି ନଥିଲେ ବି ଲୋକ ଗହଳି ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।