କନକ ବ୍ୟୁରୋ: ଗଭୀର ବୋରୱେଲରେ ଖସି ଯାଇଛି ବୃଦ୍ଧାଙ୍କ ଜୀବନ । ସୁବର୍ଣ୍ଣପୁରରୁ ଆସିଛି ଏଭଳି ଦୁଃଖଦ ଖବର । ବୃଦ୍ଧ ମହିଳା ଜଣଙ୍କ ଗତକାଲି ଘାସ କାଟିବାକୁ ଯାଇ ବୋରୱେଲରେ ଖସିପଡିଥିଲେ । ଆଜି ସକାଳ ଏହା ଜଣାପଡିବା ପରେ ଉଦ୍ଧାର କାମ ବି ଆରମ୍ଭ ହୋଇଥିଲା । ପ୍ରାୟ ୪ଘଂଟାର ଅପରେସନ ପରେ ବୃଦ୍ଧାଙ୍କ ନିକଟରେ ପହଁଚିଥିଲା ଉଦ୍ଧାରକାରୀ ଟିମ । କିନ୍ତୁ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନାହିଁ । ବୋରୱେଲଟି ଉଠାଜଳସେଚନ ବିଭାଗ ଦ୍ୱାରା ଖୋଳାଯାଇଥିଲା । କିନ୍ତୁ ଖୋଳାଯିବା ପରେ କାହିଁକି ମୁକୁଳା ଛଡା ଯାଇଥିଲେ ସେ ନେଇ ପ୍ରଶ୍ନ ଉଠିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ବୋରୱେଲ ଭିତରେ ଖସି ପଡିଥିବା ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଚାଲିଥିଲା କସରତ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଅଗ୍ନିଶମବାହିନୀ, ଓଡ୍ରାଫ ଟିମ୍ ସମେତ ଅନ୍ୟ ଉଦ୍ଧାରକାରୀ ଦଳ । ପ୍ରାୟ ୪ଘଂଟାର ଅପରେସନ ପରେ ବୃଦ୍ଧାଙ୍କ ନିକଟରେ ପହଁଚିବାରେ ସକ୍ଷମ ହୋଇଥିଲେ ଉଦ୍ଧାରକାରୀ ଟିମ୍ । ତାପରେ ବୃଦ୍ଧାଙ୍କୁ ଷ୍ଟେଚର ସହାୟତାରେ ବାହାରକୁ ଅଣାଯାଇଥିଲା ।
ବୋରୱେର ଭିତରେ ୮୦ ବର୍ଷିୟ ବୃଦ୍ଧା ଦୁଃଖୀ ନେଗୀ କେତେବେଳଠାରୁ ଖସି ପଡିଥିଲେ ତାହା ଜଣାପଡିନି । କିନ୍ତୁ ବୃଦ୍ଧା ଜଣଙ୍କ ସାରା ରାତି ସେହି ବୋରୱେଲ ଭିତରେ ପଡି ରହିଥିଲେ ଏହା ସ୍ପଷ୍ଟ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ସେ ଗତକାଲି ଦିନ ୧୦ଟାରୁ ଘାସ ଆଣିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ନଫେରିବାରୁ ପରିବାର ଲୋକ ଦୁଃଖୀଙ୍କୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତା ପାଇନଥିଲେ । ଆଜି ସକାଳୁ ଅନୁମାନ କରି ଅଗ୍ନିଶମ ବାହିନୀକୁ ଖବର ଦେବାରୁ ସେ ବୋରୱେଲରେ ଖସି ପଡିଥିବା ଜଣାପଡିଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ପହଁଚିବା ପରେ ଆରମ୍ଭ କରିଥିଲେ ଅପରେସନ । ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କିଛି ଦୂରରୁ ମେସିନ୍ ସହାୟତାରେ ଖୋଳି ବୋରୱେଲ ନିକଟରେ ପହଁଚିବା ପାଇଁ ଉଦ୍ୟମ କରିଥିଲେ । ପ୍ରାୟ ୪ଘଂଟାର ଅପରେସନ ପରେ ବୃଦ୍ଧାଙ୍କୁ ବାହାର କରିଥିଲେ । ତାପରେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବୃଦ୍ଧାଙ୍କୁ ବଂଚାଇବା ସମ୍ଭବ ହୋଇନଥିଲା । ହସ୍ପିଟାଲରେ ପହଁଚିବା ପରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ସୂଚନା ଅନୁସାରେ ବୋରୱେଲଟି ଉଠାଜଳସେଚନ ବିଭାଗ ଦ୍ୱାରା ଖୋଳା ଯାଇଥିଲା । କିନ୍ତୁ ଖୋଳାଯିବା ପରେ ତାକୁ ସେମିତି ମୁକୁଳା ଛାଡି ଦିଆଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ଆଜିର ଏହି ଅଘଟଣ ପାଇଁ ଦାୟୀ କରି ଉଠାଜଳସେଚନ ବିଭାଗକୁ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ପ୍ରଶ୍ନ ଉଠୁଛି, ଏଭଳି କେତେ ଜୀବନ ଗଲେ ନିୟମକୁ କଡାକଡି କରାଯିବ?