ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ: ଗାଈ ଫେରାଇବା ପାଇଁ ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ଗୁହାରୀ ଜଣାଇଲେ ବୃଦ୍ଧା 

195

କନକ ବ୍ୟୁରୋ: ସୋନପୁରରୁ ଆସିଥିବା ଏହି ଖବର, ସାରାରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ସ୍ୱାଧୀନତାର ୭୫ ବର୍ଷ ପରେ ବି ରାଜ୍ୟରେ ଏଭଳି ଦୃଶ୍ୟ ଦେଖିଲେ ଭାବିବା ପାଇଁ ବାଧ୍ୟ କରୁଛି । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାରେ କେତେ ପାରିବାର ଆମ ପ୍ରଶାସନ ।

ଜିଲ୍ଲାପାଳଙ୍କ ଗାଡି ଆଗରେ ତଳେ ଲୋଟି ଗାଈ ପାଇଁ ଗୁହାରୀ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ତରାସ ବାଘ । ସେ ବିନିକା ଅଂଚଳର ହୋଇଥିଲେ ବି ଦୀର୍ଘ ବର୍ଷ ହେବ ସୋନପୁରର ହସ୍ପିଟାଲ ବାରଣ୍ଡା ତାଙ୍କ ଠିକଣା ପାଲଟିଯାଇଛି । ତାଙ୍କର ବନ୍ଧୁ ପାଲଟି ଯାଇଥିଲେ ୪ଟି ଗାଈ । ତରାସ ମାଗି ଯାଚି ଯାହା ଆଣନ୍ତି ତାକୁ ନିଜେ ଖାଇବା ସହ ଗାଈମାନଙ୍କୁ ଦେଇଥାନ୍ତି । ହେଲେ ପ୍ରାୟ ତିନି ମାସ ତଳେ ଗାଈଗୁଡିକ ନିଖୋଜ ହୋଇଯାଇଥିଲେ । ଖୋଜାଖୋଜି ପରେ ସ୍ଥାନୀୟ କାଞ୍ଜିଆହୁଦାରେ ଗାଈକୁ ରଖାଯାଇଥିବା ଖବର ପାଇଥିଲେ । ତାପରେ ଗାଈଙ୍କୁ ଫେରାଇ ଦେବାକୁ ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ହୋଇଥିଲେ । ହେଲେ , କିଛି ଫଳ ମିଳିନଥିଲା । ଶେଷରେ ଏମିିତି କରିବାକୁ ବାଧ୍ୟ ହୋଇଥିଲେ ତରାସ ।

ନିରାଶ୍ରୟ ବୃଦ୍ଧାଙ୍କ ଏଭଳି ଆଚରଣ ଦେଖି ଗାଡିରୁ ଓହ୍ଲାଇ ଆସି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଜିଲ୍ଲାପାଳ ସୁନୀଲ ନରୱେଣ ।  ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ବୃଦ୍ଧା ମହିଳା ଜଣଙ୍କ କାଞ୍ଜିଆହୁଦାରେ ଦୁଇଟି ଗାଈକୁ ଚିହ୍ନିବା ପରେ ଫେରାଇ ଦେଇଛନ୍ତି କର୍ତୁପକ୍ଷ । କିନ୍ତୁ ଆଉ ଦୁଇଟି ଗାଈକୁ ଚିହ୍ନଟ କରିପାରି ନାହାଁନ୍ତି  ।