କନକ ବ୍ୟୁରୋ : କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ ଘଟିଛି ଏହି ଲୋମହର୍ଷକ ଘଟଣା । ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ଜଣେ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହା ପରେ ପ୍ରମାଣ ନଷ୍ଟ କରିବାକୁ ରାତାରାତି ଶବ ପୋଡ଼ି ଦେଇଥିଲେ । ଘଟଣାକୁ ପରିବାର ଲୋକ ଚପାଇ ଦେବାକୁ ଚେଷ୍ଟା କରୁଥିବା ବେଳେ ବୃଦ୍ଧଙ୍କୁ ହତ୍ୟା କରିବାର ଭିଡିଓ ଭାଇରାଲ ହୋଇଛି । ପୁଲିସ ନଜରକୁ ଭିଡିଓ ଆସିବା ପରେ ତତ୍ପରତା ପ୍ରକାଶ କରିଛି ।

Advertisment

ସୂଚନାନୁସାରେ, ଗତକାଲି ଉପରୋକ୍ତ ଗାଁର କୁର୍ଷ ମିଣିଆକା କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ରହିଥିଲେ । ତେଣୁ ନିଜ ପୁଅ ଘରର ଆଜବେଷ୍ଟ ସିଟ୍‌ ଗୁଡ଼ିକୁ ଭାଙ୍ଗି ଦେବା ସହ ଗାଳିଗୁଲଜ କରିଥିଲେ। କିନ୍ତୁ ଏହି ଘଟଣା ପରେ କୁର୍ଷଙ୍କ ବଡ଼ଭାଇଙ୍କ ପରିବାର ଉତ୍‌କ୍ଷିପ୍ତ ହୋଇଯାଇଥିଲା । ବଡ଼ଭାଇ, ପୁତୁରା ଏବଂ ପୁତୁରା ବୋହୂ ସଂଘବଦ୍ଧ ଆକ୍ରମଣ କରିଥିଲେ । କୁର୍ଷଙ୍କୁ ପ୍ରଥମେ ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଏହାପରେ ଗ୍ରାମବାସୀଙ୍କ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ମାରି ଦେଇଥିଲେ । ଗ୍ରାମବାସୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ । ଏପରିକି ପ୍ରମାଣ ନଷ୍ଟ କରି ଘଟଣାକୁ ଚପାଇ ଦେବାକୁ କିଛି ଗ୍ରାମବାସୀ ସହାୟତା କରିଥିଲେ । ଯାହାଫଳରେ ରାତାରାତି ଶବ ପୋଡ଼ି ଦିଆଯାଇଥିଲା। ଗାଁରେ କୌଣସି ପ୍ରକାର ହତ୍ୟାକାଣ୍ଡ ହୋଇ ନଥିବା ଭଳି ସମସ୍ତେ ଅଚରଣ ଦେଖାଇଥିଲେ ।

ସମସ୍ତ ପ୍ରୟାସ ସତ୍ତ୍ବେ ହତ୍ୟାକାଣ୍ଡକୁ ବେଶୀ ସମୟ ପାଇଁ ଲୁଚାଇ ରଖିପାରିଲେ ନାହିଁ । ହତ୍ୟାକାଣ୍ଡର ଗୋଟିଏ ଲୋମଟାଙ୍କୁରା ଭିଡିଓ ଆଜି ସକାଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ଏହି ଭିଡିଓ ପୁଲିସ ନିକଟରେ ପହଞ୍ଚିବାରୁ ତନାଘନା ଆରମ୍ଭ ହୋଇଥିଲା । ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ବିନୀ ନାୟକ, ଥାନା ଆଇଆଇସି ଶ୍ୱେତପଦ୍ମା ସେଠ୍‌, ଏସ୍‌ଆଇ ମାସନ ପ୍ରଧାନ ପ୍ରମୁଖ ଆଜି ସକାଳେ ଗାଁକୁ ଯାଇଥିଲେ । ପଚରାଉଚୁରା ଆରମ୍ଭ କରି ପୁଲିସ କୁର୍ଷଙ୍କ ପୁତୁରା ବୋହୂ ସଂଗିତା ମିଣିଆକାଙ୍କୁ ଅଟକ ରଖିଛି । ଅନ୍ୟପକ୍ଷରେ ଗିରଫଦାରୀକୁ ଏଡ଼ାଇବା ପାଇଁ କୁର୍ଷଙ୍କ ବଡ଼ଭାଇ ଏବଂ ପୁତୁରା ଫେରାର ହୋଇଯାଇଥିବା ସୂଚନା ମିଳିଛି । ବଡ଼ପ୍ରଶ୍ନ ହେଲା ଏଭଳି ଜଘନ୍ୟ ଘଟଣାକୁ ଗାଁର ଅନେକ ଜଣ ଦେଖିବା ସତ୍ତ୍ୱେ ପୁଲିସକୁ ନଜଣାଇ କାହିଁକି ଚୁପ୍‌ ରହିଲେ ।