ଭିକ ମାଗି କୋଭିଡ଼୍ ସେଣ୍ଟରକୁ ଦାନ କଲେ ବୃଦ୍ଧ : ରାଜ୍ୟ ସରକାରଙ୍କ କୋଭିଡ-୧୯ ଫଣ୍ଡ ପାଇଁ ୯୦,୦୦୦ଟଙ୍କା ଦାନ କଲେ ପୁଲପାଣ୍ଡିଆନ୍‌ । ସମାଜସେବୀ ଟାଇଟଲ୍‌ର ଆଖ୍ୟା ଦେଲେ ଜିଲ୍ଲାପାଳ

947

କନକ ବ୍ୟୁରୋ : ହାତରେ ଥାଳ । ଥାଳରେ ଟଙ୍କା ହେଲେ ମାଗୁନାହାନ୍ତି ଭିକ୍ଷା । କରୋନା ଆକ୍ରାନ୍ତଙ୍କ ପାଇଁ ଟଙ୍କା ଯୋଗାଡୁଛନ୍ତି । ମହାମାରୀ କାଳରେ ମାନବିକତା ଦେଖାଉଛନ୍ତି ମଦୁରାଇର ଏହି ବୃଦ୍ଧ ବ୍ୟକ୍ତି । କୋଭିଡ଼୍ ରିଲିଫ୍ ଫଣ୍ଡକୁ ସାହାଯ୍ୟ କରିବା ପାଇଁ ହାତରେ ସହାୟତାର ଥାଳ ଧରିଛନ୍ତି । କରୋନା ସମୟରେ ଦେଶକୁ ଆର୍ଥିକ ଭାବେ ସାହାଯ୍ୟ କରିବାକୁ ଅନେକ ଲୋକ ଆଗେଇ ଆସିଛନ୍ତି । କେଉଁଠାରେ ଛୋଟ ପିଲାମାନେ ନିଜ ସଞ୍ଚିତ କୁମ୍ପି ଭାଙ୍ଗୁଥିବା ବେଳେ ଆଉ କେହି ନିଜ ସଞ୍ଚିତ ଅର୍ଥରୁ କିଛି ଦେଶ ନାମରେ ଦାନ କରି ଦେଉଛନ୍ତି । ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ନିକଟରେ ଭିକ୍ଷା ମାଗୁଥିବା ଜଣେ ବାବା ସରକାରଙ୍କ କୋଭିଡ-୧୯ ପାଣ୍ଠିକୁ ୯୦,୦୦୦ଟଙ୍କା ଦାନ କରି ଚର୍ଚ୍ଚାରେ ରହିଛନ୍ତି ।

ଖବର ମୁତାବକ, ତାମିଲନାଡୁର ମଦୁରାଇରେ ରହୁଥିବା ଜଣେ ଭିକାରୀ ନାମ ହେଉଛି ପୁଲପାଣ୍ଡିଆନ୍‌ । ସେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଫଣ୍ଡ ପାଇଁ ୯୦,୦୦୦ଟଙ୍କା ଦାନ କରିଛନ୍ତି । ଏଥିସହିତ ଏଭଳି ଏକ କାମ ପାଇଁ ଜିଲ୍ଲାପାଳ ତାଙ୍କୁ ସମାଜସେବୀ ଟାଇଟଲ୍‌ର ଆଖ୍ୟା ଦେଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି ।

ଭିକ୍ଷା ମାଗି ନିଜର ପେଟ ପୋଷୁଥିବା ପୁଲପାଣ୍ଡିଆନ୍‌ ଏହି ଦାନ ପୂର୍ବରୁ ବି ମଇ ମାସରେ ୧୦ହଜାର ରାଜ୍ୟ ସରକାରଙ୍କୁ ଦାନ କରି ସାରିଛନ୍ତି । ସେ ମନ୍ଦିର ସାମ୍ନାରେ ବସି ଭିକ୍ଷାବୃତ୍ତି କରି ଥାଆନ୍ତି । ମଇ ମାସରେ ସେ ଏହି ରାଶି ଦାନ କରୁଥିବା ସମୟରେ କହିଥିଲେ ଯେ ସଞ୍ଚିତ କରିଥିବା ଟଙ୍କାକୁ ସେ ଏଜୁକେସନ୍‌ ଫଣ୍ଡକୁ ଦାନ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ମହାମାରୀ ଭଳି ସଙ୍କଟ ହେତୁ ସେ ଏହି ଟଙ୍କାକୁ କୋଭିଡ-୧୯ ପାଣ୍ଠିକୁ ଦାନ କରିଛନ୍ତି ।