ଅସୁରକ୍ଷିତ ପଶ୍ଚିମ ଓଡିଶାର ପୁରାତନ ସୁଉଚ୍ଚ ମନ୍ଦିର: ସୁବର୍ଣ୍ଣପୁର ଶ୍ରୀଗୁଣ୍ଡିଚା ମନ୍ଦିର ଉପରେ ଉଠିଲାଣି ଗଛ

37

କନକ ବ୍ୟୁରୋ: ଅସ୍ତିତ୍ବ ହରାଇବାକୁ ବସିଛି ସୁବର୍ଣ୍ଣପୁରର ଶ୍ରୀଗୁଣ୍ଡିଚା ମନ୍ଦିର। ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ରାଜାରାଜୁଡା ଅମଳରୁ ତିଆରି ହୋଇଥିବା ପଶ୍ଚିମ ଓଡିଶାର ଉଚ୍ଚତମ ମନ୍ଦିର। ପ୍ରତିବର୍ଷ ରଥଯାତ୍ରା ସମୟରେ ତିନି ଠାକୁର ଶ୍ରୀମନ୍ଦିରରୁ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ କରିଥାନ୍ତି। ଏଠାରେ ଶ୍ରୀଜିଉଙ୍କ ଦଶାବତାର ବେଶ ଦର୍ଶନ କରିଥାନ୍ତି ଶ୍ରଦ୍ଧାଳୁ।

ସୁବର୍ଣ୍ଣପୁର ସହର ମଧ୍ୟଭାଗରେ ରହିଛି ପଶ୍ଚିମ ଓଡିଶାର ଉଚ୍ଚତମ ମନ୍ଦିର। ୧୮୪୪ ମସିହାରେ ମୁଖ୍ୟ ମନ୍ଦିରଟି ରେଖାଦେଉଳ ଶୈଳୀରେ ନିର୍ମିତ ହୋଇଛି। ରାଜା ବୀରମିତ୍ରୋଦୟ ସିଂହଦେବ ୧୯୨୨ରେ ଆଧୁନିକ ଶୈଳିରେ ମନ୍ଦିରର ମୁଖଶାଳାଟି ନିର୍ମାଣ କରି ମନ୍ଦିର ଗର୍ଭଗୃହରେ ଦଶାବତାର ମୁର୍ତ୍ତି ସ୍ଥାପନ କରିଛନ୍ତି। କାରୁକାର୍ୟ୍ୟପୂର୍ଣ୍ଣ ଏହି ମନ୍ଦିରରେ ପୂଜା ପାଆନ୍ତି ନୃସିଂହ ଦେବ। ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ମନ୍ଦିର। ମନ୍ଦିର ଉପରେ ଗଛ ଉଠିଲାଣି । ଛାତରୁ ପାଣି ଗଳୁଛି। ଦୀର୍ଘଦିନ ହେବ ମରାମତି ହୋଇନାହିଁ । ଫଳରେ ପୁରୁଣା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଗୁଡିକ ଭାଙ୍ଗିବାକୁ ବସିଲାଣି।

ମନ୍ଦିରଟି ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ମାଉସୀ ମନ୍ଦିର ଭାବେ ବ୍ୟବହାର ହୋଇଆସୁଛି। ତିନି ଠାକୁର ଦଶାବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ନୃସିଂହଦେବଙ୍କୁ ଦର୍ଶନ କଲେ ଅକାଳପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ରଥଯାତ୍ରା ସମୟରେ ଜିଲ୍ଲା ଦେବୋତ୍ତର ବିଭାଗ ମନ୍ଦିରରେ ରଙ୍ଗବୋଳି କର୍ତ୍ତବ୍ୟ ସାରିଦେଉଥିବା ବେଳେ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାର ମରାମତି କରି ଐତିହାସିକ ମନ୍ଦିରକୁ ବଂଚାଇ ରଖିବାକୁ ଦାବି ହେଉଛି। ଏହି ମନ୍ଦିର ଖାଲି ଗୁଣ୍ଡିଚା ମନ୍ଦିର ଭାବରେ ପ୍ରସିଦ୍ଧି ଲାଭ କରିଛି ତାନୁହେଁ, ଚୌହାଣ ବଂଶର ଅକ୍ଷୟ କିର୍ତ୍ତି ହୋଇ ଇତିହାସର ମୁକସାଖି ପାଲଟିଛି ।