ଧାରଣାରେ ବସିଛନ୍ତି ଅମଲା, ହଇରାଣ ହେଉଛନ୍ତି ଜନତା। କର୍ମଚାରୀ ନଥିବାରୁ ଏମକେସିଜି ମେଡିକାଲରେ ମିଳୁନି ମୃତ୍ୟୁ ପ୍ରମାଣପତ୍ର

1,130

କନକ ବ୍ୟୁରୋ: ଡାକ୍ତରଖାନାରୁ ମିଳୁନି ମୃତ୍ୟୁ ପ୍ରମାଣପତ୍ର । ଜଣଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ୬ ଦିନ ଧରି ମେଡିକାଲକୁ ଧାଉଁଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବ୍ଲକ ଗୋକର୍ଣ୍ଣପୁର ଗାଁର ସୁରେଶ ପ୍ରଧାନ । ହେଲେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଡେଥ୍ ସାର୍ଟିଫିକେଟ୍ ମିଳିପାରୁନାହିଁ । ଅମଲାଙ୍କ ଆନ୍ଦୋଳନକୁ ୯ ଦିନ ବିତିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କର୍ମଚାରୀ ନଥିବାରୁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ରୋଗୀଙ୍କୁ ସିନା ଚିକିତ୍ସା ମିଳୁଛି, ହେଲେ ଜନ୍ମ କି ମୃତ୍ୟୁ ପ୍ରମାଣପତ୍ର ମିଳିପାରୁନାହିଁ । ତେବେ ଗତ ଏପ୍ରିଲମାସରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁର ଅଶୋକ ଦ୍ୱରାଙ୍କ ମୃତ୍ୟୁ ହୋଇଥିଲା । ମୃତ ଅଶୋକଙ୍କ ପରିବାରରେ ୮୦ ବର୍ଷିୟ ବୁଢିମା, ସ୍ତ୍ର୍ୀ ଓ ଦୁଇଟି ଛୋଟ ପିଲା ଅଛନ୍ତି । ଅଶୋକଙ୍କ ମୃତ୍ୟୁ ପ୍ରମାଣପତ୍ରରେ କିଛି ତୃଟି ରହିଛି । ସେହି ତୃଟିର ସଂଶୋଧନ ପାଇଁ ସେହି ଗାଁର ଯୁବକ ସୁରେଶ ପ୍ରଧାନ ୫ରୁ ୬ ଥର ପାଇଁ ବ୍ରହ୍ମପୁର ଡାକ୍ତରଖାନକୁ ଆସିଲେଣି । ହେଲେ ଡାକ୍ତରଖାନାର ଅମଲାମାନେ ଆନ୍ଦୋଳନରେ ବସିଥିବାରୁ ମୃତ୍ୟୁ ପ୍ରମାଣପତ୍ରର ସଂଶୋଧନ ହୋଇ ପାରୁନାହିଁ ।