ଅଭିଯୋଗ ଶୁଣିଲେନି ଅଧିକାରୀ, ଅଫିସ ଜାଳିଦେଲେ ଯୁବକ । ସମ୍ବଲପୁର ରେଙ୍ଗାଲି ତହସିଲରେ ନିଆଁ ଲଗାଇ ଦେଲେ ଠେଲକୋଲି ଘିଚାମୁରା ଗାଁର ରାଜିବ କିଷାନ

328

କନକ ବ୍ୟୁରୋ : ତହସିଲ ଅଫିସରେ ନିଆଁ ଲଗାଇଦେଲେ ଯୁବକ । ବାରମ୍ବାର ଅଭିଯୋଗ ପରେ କୌଣସି ପଦକ୍ଷେପ ନ ନିଆଯିବାରୁ ଏପରି ଚରମ ନିଷ୍ପତି ନେଇଛନ୍ତି ଠେଲକୋଲି ଘିଚିମୁରା ଗାଁର ରାଜୀବ କିଶାନ । ତହସିଲ ଅଫିସରେ ନିଆଁ ଲାଗିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିଯାଇଛି । କମ୍ପ୍ୟୁଟର ଓ ଆସବାବ ପତ୍ର ପୋଡି ଯାଇଥିବା ବେଳେ ନିଆଁକୁ ଆୟତ କରିବା ପାଇଁ ନାକେଦମ୍ ହୋଇ ପଡିଥିଲେ ଅଗ୍ନଶମ ବିଭାଗ । ତହସିଲ ଅଫିସରେ ନିଆଁ ଲଗାଇବା ପୂର୍ବରୁ ନିଜ ଫେସବୁକ୍ ପେଜରେ ଲାଇଭ କରି ନିଆଁ ଲଗାଇବାର କାରଣ କହିଥିଲେ ରାଜୀବ ।

ରାଜୀବଙ୍କ ଅଭିଯୋଗ, ତାଙ୍କ ଜମିକୁ କିଛି ଲୋକ ଜାଲ କାଗଜପତ୍ର କରି ବିକି ଦେଇଥିବା ବେଳେ ରେଙ୍ଗଲି ତହସିଲ ଅଫିସରେ ବାରମ୍ବାର ଅଭିଯୋଗ ପରେ ବି କିଛି ଫଳ ମିଳିନଥିଲା । ନାଟକୀୟ ଢ଼ଙ୍ଗରେ ରେଙ୍ଗଲି ତହସିଲ ଅଫିସରେ ଏକ ଅଟୋ ରିକ୍ସାରେ ପହଁଚିଥିଲେ ରାଜୀବ । ଆଉ ଅଟୋ ଭିତରେ ଗୋଟିଏ ଡ୍ରମରେ ଡିଜେଲ ନେଇ ଆସିଥିଲେ । କେଉଁମାନେ ତାଙ୍କ ଜମିକୁ ବିକ୍ରି କରି ଦେଇଛନ୍ତି, ଏକ ବ୍ୟାନରରେ ସେମାନଙ୍କ ନାଁ ଲେଖିଥିଲେ । କେହି କିଛି ବୁଝିବା ପୂର୍ବରୁ ଅଫିସରେ ଡିଜେଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ରାଜୀବ ।