ପାନ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଏସଏଚଜି ମହିଳା । ଓଡ଼ିଶା ଜୀବିକା ମିଶନରୁ ୫୦ ହଜାର ଟଙ୍କାର ଋଣ ଆଣି କରୁଛନ୍ତିି ପାନ ଚାଷ 

134

କନକ ବ୍ୟୁରାେ: ପାନ ଚାଷ ଦେଇଛି ରୋଜଗାର । ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳ କାଲିମେଳା ବ୍ଲକରେ ପାନ ଚାଷ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ଏସଏଚଜି ମହିଳା । ଘର କାମ କରି ପାନ ଚାଷ କରିବା ଦ୍ୱାରା କିଛି ରୋଜଗାର ମଧ୍ୟ ହୋଇପାରୁଛି । ପାନ ଚାଷରୁ ରୋଜଗାର କରି ପରିବାର ମୁହଁରେ ହସ ଫୁଟାଇଛନ୍ତି ବିଶ୍ୱ ମା’ ଜଗଦ୍ଧାତ୍ରୀ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହାରଣ ।

ରୋଜଗାର ଦେଉଛି ପାନଚାଷ । ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳ କାଲିମେଳା ବ୍ଲକର ଏମଭି-୭୭ ଗାଁର ସ୍ୱୟଂ ସହାୟକ ମହିଳା ମାନେ ପାନଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ବିଶ୍ୱ ମା’ ଜଗଦ୍ଧାତ୍ରୀ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଓଡ଼ିଶା ଜୀବିକା ମିଶନରୁ ୫୦ ହଜାର ଟଙ୍କା ଋଣ ଆଣି ପ୍ରଥମ ଥର ପାଇଁ ପାନ ଚାଷ କରିଛନ୍ତି । ପ୍ରାୟ ୩ ବର୍ଷ ତଳୁ ସେମାନେ ଏହି ପାନ ଚାଷ ଆରମ୍ଭ କରିଛନ୍ତି । କଲିକତାରୁ ପାନ ଚାରା ଆଣି ୨ ବିଗା ଜମିରେ ପାନ ଚାରା ରୋପଣ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ଚାଷ ସମ୍ପର୍କରେ ମହିଳା ମାନେ କୁହନ୍ତି, ପ୍ରଥମେ ବାଉଶଁ କାଠିରେ ପାନ ବରଜ କରାଯାଇ ତା ଭିତରେ ପାନ ଚାରା ଲଗାଯାଏ । ପାନ ଚାରା ଲଗାଇବାର ୬ମାସ ପରେ ପାନ ପତ୍ର ତୋଳିବା ଆରମ୍ଭ କରାଯାଏ । ପ୍ରତ୍ୟେକ ଦିନ ପାନ ଚାରାରେ ପାଣି ଦେବା ଦ୍ୱାରା ପାନ ଲତା ଧୀରେ ଧୀରେ ବାଉଁଶ କାଠିରେ ମାଡ଼ିବା ଆରମ୍ଭ କରିଥାଏ । ଏହାପରେ ପାନ ପତ୍ର ପାକଳ ହେଲାପରେ ତୋଳାଯାଇଥାଏ । ଚାରା ଲଗାଇବାର ୬ମାସ ପରେ ପାନ ପତ୍ର ତୋଳିବା ଆରମ୍ଭ ହୋଇଥାଏ । ପାନ ଲତାରୁ ଯେତିକି ପାନ ପତ୍ର ତେଳା ଯାଇଥାଏ ସେହି ଲତାଗୁଡ଼ିକୁ ପୁଣି ମାଟି ତଳେ ଘୋଡ଼ାଇ ରଖାଯାଇଥାଏ । ପାନ ଚାଷ କାଲିମେଳା ଅଞ୍ଚଳରେ ପ୍ରଥମ ଥର ପାଇଁ କରାଯାଇଥିବାରୁ ଏହାର ଚାହିଦା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ବଜାର ସହିତ ବ୍ୟବସାୟୀମାନେ ମହିଳାଙ୍କ ଠାରୁ ପାନ କିଣି ବଜାରରେ ବିକ୍ରୟ କରୁଛନ୍ତି ।

ବିଶ୍ୱ ମା’ ଜଗଦ୍ଧାତ୍ରୀ ସ୍ୱଂୟ ସହାୟକ ଗୋଷ୍ଠୀର ୧୧ଜଣ ମହିଳାଙ୍କ କଠିନ ପରିଶ୍ରମ ଯୋଗୁଁ କାଲିମେଳା ବ୍ଲକରେ ପ୍ରଥମ ଥର ପାଇଁ ପାନ ଚାଷ ଆରମ୍ଭ ହୋଇଛି । ଉପାନ୍ତ ଅଞ୍ଚଳରେ ମହିଳା ମାନଙ୍କ ଏଭଳି ପ୍ରୟାସ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।