ପ୍ରଥମ ଥର ପାଇଁ ସାମାଜିକ କାର୍ଯ୍ୟ, କ୍ରୀଡ଼ା, ସ୍ଥାପତ୍ୟ, ଶାସ୍ତ୍ରୀୟନୃତ୍ୟ, ସଙ୍ଗୀତ, ଏକାଡେମୀ, ଉଦ୍ୟୋଗ ଓ ପ୍ରଯୁକ୍ତି ବିଦ୍ୟା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନେ ଓଡ଼ିଶାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଫାଷ୍ଟ ତରଫରୁ ଫୋରମର ଶୁଭାରମ୍ଭ କରିଛନ୍ତି । ଏହି ଫୋରମର ଚେୟାରମ୍ୟାନ ବିଶ୍ୱର ଖ୍ୟାତନାମା କଳାକାର ତଥା ପଦ୍ମବିଭୂଷଣ ବିଜେତା ପଣ୍ଡିତ ହରିପ୍ରସାଦ ଚୌରାଶିଆ କହିଛନ୍ତି ବର୍ତମାନର ଓଡିଶା ଅନେକ ସମ୍ଭାବନା ଓ ସୁଯୋଗର ପବିତ୍ର ଭୂମି ଓ ଏହି ମାତୃଭୂମି ଆମକୁ ସଫଳତା ଦେଇଛି ଓ ଆମେ ଓଡିଶା ଭୂମିର ପ୍ରଗତି ଓ ଅଗ୍ରଗତି ପାଇଁ କାର୍ଯ୍ୟ କରିବୁ ।

Advertisment

ଓଡିଶା ଫାଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ଖ୍ୟାତନାମା କଳାକାର ତଥା ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାଶିଆ, ପ୍ରଖ୍ୟାତ ମୂର୍ତି କଳାକାର ସୁଦର୍ଶନ ସାହୁ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର, ବିଶିଷ୍ଟ ଲେଖିକା ପ୍ରତିଭା ରାୟ, ହକି ଖେଳାଳୀ ଦିଲ୍ଲୀପ ତିର୍କି, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି ଓ ଓଡ଼ିଶି ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଯଥା ଫିଲ୍ମ ଅଭିନେତ୍ରୀ ନନ୍ଦିତାଦାସ, ପାରାଅଲମ୍ପିକ ଗୋଲଡ ମେଡାଲିଷ୍ଟ ପ୍ରମୋଦ ଭଗତ, ପ୍ର. ଦାମୋଦର ଆଚାର୍ଯ୍ୟ ଟେକନୋକାର୍ଟ ଅଫ ନ୍ୟାସନାଲ ରେପ୍ୟୁଟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ, ପ୍ର. ସୁଧାକର ପଣ୍ଡା (ରାଜ୍ୟ ଯୋଜନା ବୋର୍ଡ ଓ ରାଜ୍ୟ କୃଷି ଆୟୋଗର ବରିଷ୍ଠ ସଦସ୍ୟ), ପ୍ର.ଜୟନ୍ତ ପଣ୍ଡା (ନିର୍ଦ୍ଦେଶକ କିଟ ବିଶ୍ୱବିଦ୍ୟାଳୟ), ଡ. ଅଶୋକ ମହାପାତ୍ର (ପୂର୍ବତନ ନିର୍ଦ୍ଦେଶକ ଏଆଇଏମଏମଏସ ଓ କୁଳପତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ), ସବ୍ୟସାଚୀ ମିଶ୍ର (ଅଭିନେତା), ପ୍ରଖ୍ୟାତ ସମାଜସେବୀ ଆରତି ଦେବୀ, ଭାରତୀୟ ବିଦ୍ୟା ଭବନ, ଓଡ଼ିଶାର ଚେୟାରମ୍ୟାନ Lt.Gen. ଜେ କେ ମହାନ୍ତି, ପୂଜ୍ୟ ସ୍ୱାମୀ ଜଗଦାନନ୍ଦ ସରସ୍ୱତୀ ଜି, ପ୍ର. ଅଶୋକ ଦାସ (ପୂର୍ବତନ କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ) ପ୍ରମୁଖ ଯୋଗଦେଇଥିଲେ ।

ଭିସି ମାଧ୍ୟମରେ ସେମାନଙ୍କ ସହଯୋଗ ଦେଇଥିଲେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଓ ବେଦାନ୍ତ ଲମିଟେଡ ଆଲୁମିନା ବିଜିନେସର ସିଇଓ ରାହୁଲ ଶର୍ମା । ଏହାର ପ୍ରଥମ ବୈଠକରେ ଫୋରମର ସମସ୍ତ ସଦସ୍ୟ ଖ୍ୟାତନାମା କଳାକାର ତଥା ପଦ୍ମବିଭୂଷଣ ବିଜେତା ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କୁ ଚେୟାରମ୍ୟାନ ରହିବାକୁ ଅନୁରୋଧ କରିଥିଲେ ।ସେମାନେ ମଧ୍ୟଶିଳ୍ପ ଜଗତର ଖ୍ୟାତନାମା ପ୍ରବନ୍ଧକ ତଥା ନାଲକୋର ପୂର୍ବତନ ଅଧ୍ୟକ୍ଷ ଓ ବେଦାନ୍ତ ଓଡିଶାର ସଭାପତି ତଥା ନିର୍ଦେଶକ ତପନ ଚାନ୍ଦଙ୍କୁ ଫୋରମର ସଂଯୋଜକ ହେବା ପାଇଁ ଅନୁରୋଧ କରିଥିଲେ ।

ଏହି ଫୋରମ ଦ୍ୱାରା ପ୍ରଣିତ କାର୍ଯ୍ୟକ୍ରମ ଗୁଡ଼ିକୁ ସରକାର, ବୃହତ ଶିଳ୍ପ ସଂସ୍ଥା ଓ ସ୍ୱୟଂଶାସିତ ସଂସ୍ଥା ଗୁଡ଼ିକ ଦ୍ୱାରା କାର୍ୟ୍ୟକାରୀ କରାଯିବା ପାଇଁ ଉପସ୍ଥାପିତ ହେବ । ଫୋରମ ପର୍ୟ୍ୟାୟ କ୍ରମେ ଦେଶର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହାର ବୈଠକରେ ଆମନ୍ତ୍ରଣ କରିବ, ଯୋଜନାର କାର୍ୟ୍ୟାନ୍ୱୟନ ପାଇଁ ସମର୍ଥନ ବୃଦ୍ଧିକରିବ । ଫୋରମର ପ୍ରଥମ ବୈଠକ ୧୦ଡ଼ିସେମ୍ବର ୨୦୨୧ରେ ମେଫେୟାର ବୈଠକ ଗୃହରେ ଆୟୋଜିତ ହୋଇଯାଇଛି ।

ଗ୍ଲୋବାଲ ଇଣ୍ଡଷ୍ଟ୍ରି ଲିଡର ଅନିଲ ଅଗ୍ରୱାଲଙ୍କ ଦ୍ୱାରା ବୈଠକର ଶୁଭାରମ୍ଭ ହୋଇଥିଲା ଓ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚମାନର ଶାସନ ସହିତ ଏକ ସ୍ଥିର ସରକାର ପ୍ରଦାନ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ରାଜ୍ୟର ଅବିବୃଦ୍ଧି ତଥା ବିକାଶରେ ସଫଳ ବ୍ୟକ୍ତିଙ୍କ ସ୍ୱେଚ୍ଛାକୃତ ଅଂଶଗ୍ରହଣ ପ୍ରକ୍ରିୟା ରାଜ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତିରେ ବେଦାନ୍ତ ନିଜର ସହଯୋଗ ଜାରୀ ରଖିବ ବୋଲି ସେ କହିଥିଲେ । ରାଜ୍ୟରେ ଶିକ୍ଷା ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ବିକାଶ ଲାଗି ଏହି ଫୋରମର ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପକୁ ମଧ୍ୟ ବିଚାର କରାଯିବ । ସାମାଜିକ କାର୍ଯ୍ୟରେ ସେ ତାଙ୍କ ପରିବାରର ୭୫% ସଂପତିକୁ ଦାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ବୋଲି ସେ କହିଥିଲେ।

ଅନିଲ ଅଗ୍ରୱାଲ କହିଛନ୍ତି ଓଡ଼ିଶା ହେଉଛି ମହାନ ସଂସ୍କୃତିର ରାଜ୍ୟ ଓ ଏଠାରେ ସମସ୍ତଙ୍କ ପାଇଁ ସମ୍ଭାବନା, ଉଦ୍ୟୋଗ, ପର୍ଯ୍ୟଟନ, କ୍ରୀଡ଼ା କିମ୍ବା ଷ୍ଟାର୍ଟଅପର ସୁଯୋଗ ରହିଛି । ଏଠାରେ ଏକତ୍ରିତ ହୋଇଥିବା ବ୍ୟକ୍ତିମାନେ ଓଡ଼ିଶା ବିକାଶର ପ୍ରତୀକ ଅଟନ୍ତି, ଯାହା ସାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଚୁର ସମ୍ଭାବନା ରହିଛି । ମୁଁ ନିଜକୁ ଓ ବେଦାନ୍ତରେ ଆମର ସମଗ୍ର ଟିମକୁ ଓଡ଼ିଆ ପରିବାରର ଅନନ୍ୟ ସଦସ୍ୟ ବୋଲି ମନେ କରୁଛି । ଏହି ବୈଠକରେ ଶ୍ରୀ ହରିପ୍ରସାଦ ଚୌରାଶିଆ ସଭାପତିତ୍ୱ କରିଥିବା ବେଳେ ଜୟଶ୍ରୀ ମହାନ୍ତି ରୋଟାରୀ ଗଭର୍ନର ଉପସ୍ଥାପକ ଥିଲେ । ଶ୍ରୀ ତପନ ଚାନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବେଦାନ୍ତର ସିଇଓ ରାହୁଲ ଶର୍ମା ବେଦାନ୍ତର କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।