କନକ ବ୍ୟୁରୋ: ଲବି ଓ ପରିବାରବାଦରେ ଚାଲିଛି ଓସିଏ। ପ୍ରାୟ ୨୪ ବର୍ଷ ହେବ ଓଡ଼ିଶାର କୌଣସି ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି ଯାହାକୁ ନେଇ ସବୁବେଳେ ପ୍ରଶ୍ନ ଉଠିଛି। ରାଜନୈତିକ ବ୍ୟକ୍ତି ଓସିଏର ପଦପଦବୀରେ ରହୁଥିବାରୁ ସେମାନେ ଆନ୍ତରିକତା ଦେଖାଉ ନାହାନ୍ତି। ଯାହାର ଲବି ଷ୍ଟ୍ରଙ୍ଗ ସିଏ ପାଇବ ଓଡ଼ିଶା ରଣଜୀ ଦଳରେ ସ୍ଥାନ। ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି ଓସିଏର ପୂର୍ବତନ ସଦସ୍ୟ ବ୍ରଜ ନନ୍ଦ।
ଓସିଏରୁ ରାଜନୈତିକ ବ୍ୟକ୍ତି ହଟିବାର ଆବଶ୍ୟକତା ଅଛି। ପୂର୍ବରୁ ମଧ୍ୟ ପ୍ରମାଣ ହେଇଛି ‘ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ’ରେ ଯିଏ ଖେଳିଲା ସିଏ ରଣଜୀ ଦଳରେ ସାମିଲ ହେଉଥିଲା। ଏପରି ଅନେକ ଘଟଣାର ନଜିର ରହିଛି। ଓସିଏ ଦାୟିତ୍ୱରେ ଜଣେ ପୂର୍ବତନ କ୍ରିକେଟର ରହିବାର ଆବଶ୍ୟକତା ରହିଛି। ଯିଏ ଖେଳକୁ ସଂପୂର୍ଣ୍ଣ ଭାବରେ ଜାଣି ପିଲାଙ୍କୁ ପ୍ରସ୍ତୁତ କରିବ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ଓସିଏ ଅନୁମୋଦିତ ଯେତିକି କ୍ଳବ୍ କିମ୍ବା ସ୍କୁଲ, କଲେଜ ଅଛି ସେଇଠୁ ଯଦି ଖେଳାଳି ବାହାରୁ ନାହାଁନ୍ତି କାହିଁକି ତଦନ୍ତ କରାଯାଉନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।
ଓସିଏ ଦୀର୍ଘ ବର୍ଷ ଗୋଟିଏ ପରିବାର ହାତରେ ରହିଛି। ଓସିଏର ବିଫଳତା ସତ୍ତ୍ୱେ କାହିଁକି ରାଜ୍ୟସରକାର କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ବ୍ରଜ ନନ୍ଦଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଲୋକନାଥ ପାଣିଗ୍ରାହୀ।