ବଢିଲା ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଅଡୁଆ। ଥାନାରେ ଏତଲା ଦେଲେ ନିର୍ବାହୀ ଅଧିକାରୀ।

150

କନକ ବ୍ୟୁରୋ: ବ୍ୟାସନଗରରେ  ନିର୍ବାହୀ ଅଧିକାରୀଙ୍କ ଉପରକୁ ପୌରାଧ୍ୟକ୍ଷ ଫାଇଲ ଫିଙ୍ଗିବା ଘଟଣା ବିବାଦ  ବଢିବାରେ ଲାଗିଛି । ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଫାଇଲ ଫିଙ୍ଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ଏହି ମାମଲା ଥାନାକୁ ଯାଇଛି । ପୂରା ଘଟଣାର ତଦନ୍ତ କରି ନ୍ୟାୟପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ନିର୍ବାହୀ ଅଧିକାରୀ । ନିର୍ବାହୀ ଅଧିକାର ଅଭିଯୋଗ କରିଛନ୍ତି, ଭିଡିଓ ଭାଇରାଲ ହେବା ପରେ ତାଙ୍କ ସମ୍ମାନ ହାନି ହେବା ସହ ମାନସିକ ଆଘାତ ଲାଗିଥିବା ସେ କହିଛନ୍ତି ।

ବିବାଦ ଥାନାରେ ପହଞ୍ଚିବା ପରେ ନରମିଛନ୍ତି ସଙ୍ଗୀତା ପିଙ୍ଗୁଆ । ସେ କହିଛନ୍ତି ମିଳିମିଶି କାମ କରିବେ । ବିକାଶକୁ ଆଗକୁ ନେବାକୁ ହେବ । ୮ନମ୍ବର ୱାର୍ଡରେ  ଜିଓ ଟାୱାର ସ୍ଥାପନକୁ ନେଇ ଉତକ୍ଷିପ୍ତ ହୋଇଥିଲେ ପୌର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ଘଟଣା ନେଇ ଉଭୟ ପୌରଧ୍ୟକ୍ଷା ଓ ପୌରଅଧିକାରୀ ଆଲୋଚନା ସମୟରେ ହଠାତ ରାଗିଯାଇଥିଲେ ସଙ୍ଗୀତା । ଗାଳିଗୁଲଜ କରିବା ସହିତ ପୌରଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିଥିଲେ । ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । ।

ଇତିମଧ୍ୟରେ  ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଖଣ୍ଡପଡା ବଦଳି ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି ପୌରାଧ୍ୟକ୍ଷାଙ୍କୁ ଗିରଫ ସହ ବହିଷ୍କାର ଦାବିରେ  କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ବିଜେପି  । ଯାଜପୁର ରୋଡ ଥାନାରେ ବି ଅଭିଯୋଗ କରାଯାଇଛି ।