ବଢୁଛି କରୋନାର ଗତି : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର; ୨୪ ଘଂଟାରେ ସର୍ବାଧିକ ୧୨୯୦ ମୃତ, ୯୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

120

କନକ ବ୍ୟୁରୋ : ଭାରତରେ ଉପରମୁହାଁ କରୋନା ମିଟର । ଆଜି ଆକ୍ରାନ୍ତ ସଂଖ୍ୟା ଟପିଛି ୫୦ ଲକ୍ଷ ବା ୫ ମିଲିୟନ । ଗତ ୨୪ ଘଂଟାରେ ସାରା ଦେଶରେ ପୁଣି ୯୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରାଦେଶରେ ୯୦ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୦ ଲକ୍ଷ ୨୦ ହଜାର ୩୬୦ରେ ପହଁଚିଛି । ସେହିପରି ଗତ ୨୪ ଘଂଟାରେ ଏକ ହଜାର ୨୯୦ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୨ ହଜାର ପାର୍ ହୋଇଛି । ଏକ ହଜାର ୨୯୦ ନୂଆ କରୋନା ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୨ ହଜାର ୬୬ରେ ପହଁଚିଛି । ଦେଶରେ ବର୍ତମାନ ଆକ୍ଟିଭ୍ ମାମଲା ସଂଖ୍ୟା ୯ ଲକ୍ଷ ୯୫ ହଜାର ୯୩୩ ରହିଛି  । ସେହିପରି ସୁସ୍ଥ ସଂଖ୍ୟା ୩୯ ଲକ୍ଷ ୪୨ ହଜାର ୩୬୧ରେ ପହଁଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି ।