ରାଜ୍ୟରେ ବଢିଲା ଟିକାକେନ୍ଦ୍ର : ଦୈନିକ ଚାରି ଲକ୍ଷ ଟିକାକରଣ ଲକ୍ଷ୍ୟ

76

କନକ ବ୍ୟୁରୋ : କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ବାଟ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି । ଏନେଇ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବାର ଉଦ୍ୟମ ଜାରି ରଖିଛନ୍ତି । ଭାରତ ଏବେ ଟିକା ଦେବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଏବେ ଏହାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା ଆରମ୍ଭ କରିଛନ୍ତି । ଓଡ଼ିଶାରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକେନ୍ଦ୍ର ସଂଖ୍ୟା ବଢ଼ାଇଦିଆଯାଇଛି । ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ଅଧିକ ୧୭୪ଟି ଟିକାକେନ୍ଦ୍ର ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ ୧୬ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା ଏବେ ଏହି ସଂଖ୍ୟା ବଢ଼ିବା ସହ ୧୭୭୪ ଟିକାକେନ୍ଦ୍ର ଚାଲିଛି । ଦୈନିକ ୪ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ। ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଫୋକସ କରୁଛନ୍ତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୬୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨କୋଟି ୮୩ଲକ୍ଷ ୨୯ ହଜାର ୩୯୬ଡୋଜ ଟିକାକରଣ ହୋଇଥିବା ବେଳେ ପ୍ରଥମ ଡୋଜ ନେଇଛନ୍ତି ୨୦୭୯୫୫୧୪ ଓ  ଦ୍ବିତୀୟ ଡୋଜ ୭୫୩୩୮୮୨। ଏଯାଏଁ ୧୬୦୭୭୫ ଗର୍ଭବତୀ ମହିଳା ଟିକା ନେଇ ସାରିଥିବା ସହ ଏବେ ୨୦ଲକ୍ଷ ୫୧ହଜାର ୬ଶହ ଟିକା ଗଚ୍ଛିତ ଅଛି। ସେଥିରୁ ୧୮ଲକ୍ଷ ୬୭ ହଜାର ୪୭୦ କୋଭିସିଲଡ ଏବଂ ୧ ଲକ୍ଷ ୮୪ ହଜାର ୧୩୦ କୋଭାକ୍ସିନ ଟିକା ଗଚ୍ଛିତ ଅଛି ।