କଟକରେ ବଢ଼ୁଛି ଅଣକୋଭିଡ ମୃତ୍ୟୁ ସଂଖ୍ୟା : ସାଢ଼େ ୩ମାସରେ ଏସସିବିରେ ଗଲାଣି ୩ହଜାର ଜୀବନ

637

କନକ ବ୍ୟୁରୋ : କରୋନା ଲକ୍‌ଡାଉନ୍‌ ଭିତରେ ଏସ୍‌ସିବିରେ ଯାଇଛି ପାଖାପାଖି ୩ହଜାର ଜୀବନ। କାରଣ ହେଲା ଠିକ୍‌ ସମୟରେ ଚିକିତ୍ସା ପାଇଁ ନ ଆସିବା। ଡାକ୍ତରଖାନାରେ ପହଞ୍ଚିବାବେଳକୁ ଅବସ୍ଥା ସଙ୍ଗିନ ଥିବାରୁ ଏଭଳି ଘଟିଥିବା କୁହାଯାଉଛି। ସରକାରୀ ରେକର୍ଡ ଯାହା କହୁଛି, ବାସ୍ତବତା କିନ୍ତୁ ତା’ଠାରୁ ଭିନ୍ନ। କରୋନାଠୁ ବଳି ଗଲାଣି ଅଣକୋରାନାଜନିତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା। ସବୁଠୁ ସାଂଘାତିକ ତଥ୍ୟ ହେଲୋ ଅନେକ ପୁରୁଣା ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁନାହାନ୍ତି। କେତେ ପୁରୁଣା ରୋଗୀ ଚିକିତ୍ସା ପାଇଁ ଆସୁନାହାନ୍ତି ତାର ତଥ୍ୟ କାହା ପାଖରେ ନ ଥିଲେ ବି ଆସିଥିବା ରୋଗୀଙ୍କ ଭିତରୁ ଗତ ସାଢେ ୩ମାସରେ ୩ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହେଲାଣି ଏସ୍‌ସିବିରେ। ଅନ୍ୟପଟେ ଏସ୍‌ସିବିରେ ଖୋଲାଯାଇଥିବା କରୋନା ଆଇସୋଲେସନ୍‌ ୱାର୍ଡରେ ୨ମାସରେ ପାଖାପାଖି ୪୦ଜଣଙ୍କ ମୃତ୍ୟୁ ହେଲାଣି। କାହାର ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବାବେଳେ ଜୀବନ ଚାଲିଯାଇଛି ତ କିଛି ରୋଗୀ ଭର୍ତ୍ତି ହେବାର ଅଧଘଣ୍ଟା ଭିତରେ ହିଁ ପ୍ରାଣ ହରାଇଛନ୍ତି। ରୋଗୀ ଆଇସୋଲେସନ୍‌ରେ ଭର୍ତ୍ତି ହୋଇଥିବା କାରଣରୁ କରୋନା ରିପୋର୍ଟକୁ ଆଧାର କରି ମୃତ୍ୟୁର କାରଣ ଖୋଜାଯାଉଛି। ହେଲେ, କରୋନା ହୋଇ ନ ଥିବା ରୋଗୀଟିର ସ୍ୱାଇନ ଫ୍ଲୁ ଅଥବା ଡେଙ୍ଗୁରେ ମୃତ୍ୟୁ ହୋଇଛି କି ନାହିଁ ତାହା ଜାଣିବାକୁ କୌଣସି ପରୀକ୍ଷା କରାଯାଉ ନାହିଁ। କେବଳ କରୋନା ପରୀକ୍ଷା କରି ଛାଡ଼ି ଦିଆଯାଉଛି ମୃତଦେହ।

ସୂଚନା ଅନୁସାରେ, କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ମାର୍ଚ୍ଚ ଶେଷ ସପ୍ତାହରୁ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଯାନବାହନ ଚଳାଚଳ ସବୁ ବନ୍ଦ ରହିଲା। ଧୀରେ ଧୀରେ କଟକଣା କୋହଳ କରୁଛନ୍ତି ସରକାର। ଏପରିକି ଅନ୍‌ଲକ୍‌-୨ର ଗାଇଡ୍‌ଲାଇନ୍‌ ମଧ୍ୟ ସରକାର ଜାରି କରିଛନ୍ତି। ଏସ୍‌ସିବି ତଥ୍ୟ କହୁଛି କରୋନା ପାଇଁ ରୋଗୀଙ୍କ ସଂଖ୍ୟା ଆଗ ଭଳି ନାହିଁ, ଆଗ ତୁଳନାରେ ମୃତ୍ୟୁ ସଂଖ୍ୟା ବି କମିଛି। ହେଲେ, ପ୍ରକୃତପକ୍ଷେ ରୋଗୀ କମ୍‌ ଆସୁଥିବା ସମୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏସ୍‌ସିବିର ତଥ୍ୟ କହୁଛି ମାର୍ଚ୍ଚରେ ୯୨୫ଜଣ, ଏପ୍ରିଲରେ ୬୬୯, ମେରେ ୬୭୫ ଓ ଜୁନ୍‌ରେ ପାଖାପାଖି ୭ଶହ ଜଣଙ୍କ ମୃତ୍ୟୁ ହେଲାଣି କଟକ ବଡ଼ ଡାକ୍ତରଖାନାର ବିଭିନ୍ନ ବିଭାଗରେ। କିଛି ବିଶେଷଜ୍ଞଙ୍କ କହିବା କଥା ହେଲା ରୋଗୀ ବିଳମ୍ବରେ ଆସୁଥିବାରୁ ଚିକିତ୍ସା ଠିକ୍‌ ଭାବରେ ମିଳିପାରୁନି। ଅନ୍ୟପଟେ ନେଫ୍ରୋଲୋଜି ବିଭାଗରେ ପୂର୍ବରୁ ରୋଗୀ ସଂଖ୍ୟା ଯେତିକି ଥିଲା ତା’ ଅପେକ୍ଷା ବଢ଼ିଛି ରୋଗୀଙ୍କ ସଂଖ୍ୟା। ଏପରିକି ବିଭିନ୍ନ ଘରୋଇ ହସ୍ପିଟାଲରୁ ରୋଗୀ ଏସ୍‌ସିବି ଆସୁଛନ୍ତି ଡାଏଲିସିସ୍‌ ପାଇଁ।

ଅନ୍ୟପଟେ ଆଉ ଏକ ସାଂଘାତିକ ତଥ୍ୟ ହେଲା, ଡାଏଲିସିସ୍‌ ପାଇଁ ଆସୁଥିବା କିଛି ରୋଗୀ ୩ମାସ ହେଲା ଆଦୌ ଏସ୍‌ସିବି ଆସୁନାହାନ୍ତି। କିନ୍ତୁ ନୂଆ ରୋଗୀଙ୍କ ସଂଖ୍ୟା ବଢିଛି। ତେବେ କେତେସଂଖ୍ୟାକ ପୁରୁଣା ରୋଗୀ ଡାଏଲିସିସ୍‌ ପାଇଁ ଆସିନାହାନ୍ତି ତାର ତଥ୍ୟ ମିଳୁନି। କେବଳ ଏହି ବିଭାଗ ନୁହେଁ, ହୃଦ୍‌ରୋଗ, ନ୍ୟୁରୋସର୍ଜରି, ଏଣ୍ଡୋକ୍ରୋନୋଲୋଜି, ହେପାଟୋଲୋଜି ଆଦି ବିଭିନ୍ନ ବିଭାଗରେ ଏଭଳି ଅନେକ ପୁରୁଣା ରୋଗୀ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସୁନାହିାଁନ୍ତି। କିନ୍ତୁ ବିଭିନ୍ନ ଘରୋଇ ହସ୍ପିଟାଲ, ନର୍ସିଂହୋମ୍‌ ଫେରନ୍ତା ରୋଗୀଙ୍କ ସଂଖ୍ୟା ଏସ୍‌ସିବିରେ ବୃଦ୍ଧି ପାଇଛି। କଟକଣା କୋହଳ ହେବା ପରଠାରୁ ଦିନକୁଦିନ ରୋଗୀ ସଂଖ୍ୟା ବଢୁଛି, ବିପଦ ମଧ୍ୟ ଘ‌ନଉଛି। କାରଣ ହଟ୍‌ସ୍ପଟ୍‌ ଜୋନରୁ ଅଉଟ୍‌ଡୋରକୁ ଆସୁଥିବା ରୋଗୀଙ୍କୁ ନେଇ ଚିନ୍ତାରେ ଡାକ୍ତର ଓ କର୍ମଚାରୀମାନେ। କରୋନା ନେଇ କୌଣସି ଲକ୍ଷଣ ଦେଖାଯାଉ ନଥିବାରୁ କିଏ ସଂକ୍ରମିତ, କିଏ ନୁହନ୍ତି, ତା ଜାଣିବା ମୁସ୍କିଲ। ତାସାଙ୍ଗକୁ ସାମାଜିକ ଦୂରତ୍ବ ରହୁନଥିବାରୁ କରୋନା ସଂକ୍ରମିତ ‌ହେବାର ଆଶଙ୍କା ଅଧିକ ରହିଛି। ଅନ୍ୟପଟେ ଦୁଇଦିନ ତଳେ ନ୍ୟୁରୋସର୍ଜରି ୱାର୍ଡରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରୁ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ।