କନକ ବ୍ୟୁରୋ: ବିଶ୍ୱରେ ବର୍ତ୍ତମାନ ଅନେକ ଜୀବଙ୍କ ପ୍ରଜାତି ବିଲୁପ୍ତ ହୋଇଥିବା ବେଳେ ଅନେକ ବିଲୁପ୍ତ ହେବାର ଦ୍ୱାରଦେଶରେ ପହଞ୍ଚିସାରିଛନ୍ତି । ନିକଟ ଅତୀତରେ ଅନେକ ପଶୁ ଏହିଭଳି ସ୍ଥିତିରେ ରହିଥିବା ବେଳେ ସମୟ ଅନୁସାରେ ସେମାନେ ବିଲୁପ୍ତ ମଧ୍ୟ ହୋଇଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ପ୍ରକୃତି ସଂରକ୍ଷଣ ସଂଘ ଏହିଭଳି ଅନେକ ବିଲୁପ୍ତ ହେଉଥିବା ଜୀବଜନ୍ତୁଙ୍କ ତାଲିକା ପ୍ରତିବର୍ଷ ଜାରି କରିଥାଏ । ତେବେ ଏହି ରିପୋର୍ଟରେ ବର୍ତ୍ତମାନ ବାଘଙ୍କୁ ଅଧିକ ମହତ୍ତ୍ୱ ଦିଆଯାଇଛି ।

Advertisment

ବର୍ତ୍ତମାନ ଆମ ଦେଶରେ ବାଘଙ୍କ ସଂଖ୍ୟା ବଢୁଥିବା ବେଳେ ଆମ ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଉଥିବା ସୂଚନା ମିଳିଛି । ଓଡିଶାରେ ଗତ ୧୦ ବର୍ଷରେ ୪୦ ପ୍ରତିଶତ ବାଘ ହ୍ରାସ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ, ଏନଟିସିଏର ରିପୋର୍ଟ ଅନୁସାରେ ୨୦୦୬ରେ ଦେଶରେ ୧୪୧୧ଟି ବାଘ ଥିଲେ । ୨୦୧୮ରେ ଏହି ସଂଖ୍ୟା ୨୯୬୭ରେ ପହଞ୍ଚିଥିଲା । ତେବେ ଓଡିଶାରେ କିନ୍ତୁ ଏହି ସ୍ଥିତି ଭିନ୍ନ ରହିଛି । ଏନଟିସିଏ ରିପୋର୍ଟ ଅନୁସାରେ ୨୦୦୬ରେ ଓଡିଶାରେ ୪୫ଟି ବାଘ ଥିବା ବେଳେ ୨୦୧୦ରେ ଏହା ତଳକୁ ଖସି ୩୨ରେ ପହଞ୍ଚିଥିଲା । ୨୦୧୪ ଓ ୨୦୧୮ର ରିପୋର୍ଟରେ ଏହା ଆହୁରି ତଳକୁ ଖସି ୨୮ରେ ପହଞ୍ଚିଛି ।

ରାଜ୍ୟସରକାରଙ୍କ ପକ୍ଷରୁ ବାଘ ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ମଧ୍ୟ ପ୍ରଥମରୁ ଫେଲ ମାରିଛି । ୨୦୧୮ ଜୁନ ମାସରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ ପ୍ରକଳ୍ପରୁ ଦୁଇଟି ବାଘ ମହାବୀର ଏବଂ ସୁନ୍ଦରୀଙ୍କୁ ଓଡିଶା ଆଣାଯାଇଥିଲା । ଶିକାରୀ ଫାସରେ ପଡି ମହାବଳ ମହାବୀରର ଜୀବନ ଯାଇଥିବା ବେଳେ ହିଂସ୍ର ଆଚରଣ ପାଇଁ ବାନ୍ଧବଗଡ ଫେରିଯାଇଥିଲା ବାଘୁଣୀ ସୁନ୍ଦରୀ । ସାତକୋଶିଆରେ ଯେଉଁ ପ୍ରକଳ୍ପ ହୋଇଥିଲା ତାହା ଫେଲ ମାରିଛି ।

ତେବେ ବାଘ ସଂଖ୍ୟା ହ୍ରାସ ପାଇଁ ଅନେକ କାରଣ ରହିଛି । ଅନେକ ସମୟରେ ଆମେ ପ୍ରକୃତି ଏବଂ ପୃଥିବୀକୁ ବଞ୍ଚାଇବା ନେଇ ଆଲୋଚନା କରିଥାଉ ସେତେବେଳେ ପରିବେଶ ସଂରକ୍ଷଣ କରିବା ବିଷୟରେ ମଧ୍ୟ ଚିନ୍ତା କରୁ । ଏଥିପାଇଁ ଗୋଟିଏ ଶୃଙ୍ଖଳାର ମଧ୍ୟ ରହିଥାଏ । ଖାଦ୍ୟ ଆଉ ଖାଦକକୁ ନେଇ ହେଉଥିବା ଏହି ଶୃଙ୍ଖଳାରେ ବର୍ତ୍ତମାନ ବିଶେଷ ପରିବର୍ତ୍ତନ ଦେଖାଦେଇଛି । ଖାଦ୍ୟର ଅଭାବ ଯୋଗୁ ଖାଦକ ବାହାରକୁ ଆସୁଛନ୍ତି, ଆଉ ଏହି ସମୟରେ ଶିକାରୀଙ୍କ ଫାସରେ ପଡି ପ୍ରାଣ ହରାଉଛନ୍ତି । ଜଙ୍ଗଲ ନଷ୍ଟ ହେବା ଯୋଗୁ ଖାଦ୍ୟ କମିଚାଲିଛି ଯାହା ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପକାଇଛି ।

ବାଘ ସଂଖ୍ୟା ହ୍ରାସ ପାଇବାରେ ଖାଦ୍ୟ ଶୃଙ୍ଖଳା ଏକ ପ୍ରମୁଖ କାରଣ । ଖାଦ୍ୟ ଶୃଙ୍ଖଳାରେ ବାଘ ପ୍ରଥମ ସ୍ଥାନରେ ରହୁଥିବାରୁ ସେମାନଙ୍କ ସଂଖ୍ୟା କମିବା ଶୃଙ୍ଖଳାରେ ଅସନ୍ତୁଳନ ସୃଷ୍ଟି କରୁଛି । ସେହିଭଳି ବାଘଙ୍କ ଅସ୍ଥିତ୍ୱ ପ୍ରକୃତିକୁ ବଞ୍ଚାଇଥାଏ । ସେମାନେ ଶାକାହାରୀ ଜୀବଙ୍କ ସଂଖ୍ୟାଙ୍କୁ ନିୟନ୍ତ୍ରଣ କରିଥାନ୍ତି । ସେମାନେ ଏକୁଟିଆ ରହୁଥିବା ବେଳେ ଗୋଟିଏ ବଡ ଅଞ୍ଚଳରେ ବିଚରଣ କରିଥାନ୍ତି । ଏହା ହେବା ଦ୍ୱାରା ସେମାନେ ଅନ୍ୟ ପ୍ରଜାତି ଏବଂ ତାଙ୍କ ଆବାସର ରକ୍ଷାରେ ପ୍ରମୁଖ ଭୂମିକା ନେଇଥାନ୍ତି । ତେବେ ଶିକାରୀଙ୍କ ଯୋଗୁ ଅନେକ ବାଘ ନିଜ ଜୀବନ ହରାଉଛନ୍ତି । ରାଜ୍ୟରେ ଏହି କାରଣରୁ ବାଘ ସଂଖ୍ୟା ହ୍ରାସପାଇଛି ।

ସେପଟେ ଯଦି ଭାରତ କଥା ବିଚାରକୁ ନେବା ପାଖାପାଖି ୩୫୦ ନଦୀ ବ୍ୟାଘ୍ରପ୍ରକଲ୍ପ କ୍ଷେତ୍ର ଦେଇ ଯାଇଛି । ଏହି ଜଙ୍ଗଲ ମଧ୍ୟରେ ଅଙ୍ଗାରକାମ୍ଳ ସଂରକ୍ଷିତ ହୋଇଥାଏ, ବାୟୁମଣ୍ଡଳକୁୁ ଗଛ ଠାରୁ ଅମ୍ଳଜାନ ମିଳିଥାଏ, ତେବେ ମାଟି ତଳୁ ଗଛକୁ ଜଳ ମିଳିଥାଏ ଯାହା ଦ୍ୱାରା ବନ୍ୟା ନିୟନ୍ତ୍ରଣରେ ହୋଇପାରୁଛି । ଯାହା ବାଘଙ୍କ ପ୍ରାକୃତିକ ଆବାସକୁ ନଷ୍ଟ କରିପାରୁନାହିଁ । କିନ୍ତୁ ଶିକାରୀଙ୍କ କ୍ରୁର ଚିନ୍ତା ଯୋଗୁ ବର୍ତ୍ତମାନ ବାଘ ସଂଖ୍ୟାହ୍ରାସ ପାଇଚାଲିଛି ।

ବର୍ତ୍ତମାନ ସମୟ ଆସିଛି ଏହି ବାଘକୁ ବିଲୁପ୍ତ ହେବାରୁ ବଞ୍ଚାଇବାର । ବାଘ ଖାଦ୍ୟଶୃଙ୍ଖଳର ପ୍ରଥମ ଜୀବ ହୋଇଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ଆମମାନଙ୍କୁ ସଚେତନ ହେବା ଦରକାର । ନିକଟରେ ରାଜ୍ୟ ସରକାର ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ନୂଆ କରି ଯୋଜନା ଆରମ୍ଭ କରିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ବାଘଙ୍କୁ ରି- ୱାଇଲ୍ଡିଂ କରାଯାଇ ଜଙ୍ଗଲରେ ଛଡାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଏନସିବିସି ବେଙ୍ଗାଲୁରୁ ସହ ମିଶି ଚିଡିଆଖାନାର ବାଘଙ୍କ ଜେନିଟିକ ଷ୍ଟଡି କରାଯିବ । ଏହା ସଫଳ ହେଲେ ବ୍ରିଡିଂ କରି ଜଙ୍ଗଲରେ ବାଘଙ୍କୁ ଛଡାଯିବ । ତେବେ ଆମେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ବାଘଙ୍କ ବଂଶ ବୃଦ୍ଧି ପାଇଁ ପ୍ରାକୃିତକ ପରିବେଶ ବଞ୍ଚିରହିବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତୁ ଆମେ ସମସ୍ତେ ଆମ ଜଙ୍ଗଲକୁ ନଷ୍ଟ ହେବାରୁ ରକ୍ଷା କରିବା । ଆସନ୍ତୁ ପୁରୁଣା ପୃଥିବୀକୁ ଫେରାଇନେବାର ପ୍ରୟାସ କରିବା । ପୁନଶ୍ଚ ପୃଥିବୀର ଗଢିବାର ସଙ୍କଳ୍ପ ନେବା ।