କରୋନା ଭିତରେ ଆଶ୍ୱସ୍ତିକର ଖବର । ଲଗାତାର ତିନି ଦିନ ହେଲା ଦେଶର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳେ

124

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । କିନ୍ତୁ ଏହା ଭିତରେ ଟିକିଏ ଆଶ୍ୱସ୍ତି କଲା ଭଳି ଖବର ସାମାନକୁ ଆସିଛି । ଲଗାତାର ତିନି ଦିନ ହେଲା ଦେଶର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳେ ରହିଛି ।

ମଙ୍ଗଳବାର ୩ଲକ୍ଷ ୨୯ ହଜାର ୯୪୨ , ବୁଧବାର ୩ଲକ୍ଷ ୪୮ ହଜାର ୪୨୧ ଓ ଗୁରୁବାର ୩ଲକ୍ଷ ୬୨ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଦେଶର ୨୦ଟି ରାଜ୍ୟରେ ସଂକ୍ରମଣ କମିବା ଯୋଗୁଁ ଦୈନିକ ସଂକ୍ରମଣ ସଂଖ୍ୟା କମ୍ ରହିଛି ।

ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ଦେଶର ୨୪ଟି ରାଜ୍ୟର ଟେଷ୍ଟ ପଜିଟିଭିଟି ରେଟ୍ ୧୫ ପ୍ରତିଶତରୁ ଅଧିକ ରହିଛି । ଯାହାକି ମୁଣ୍ଡବିନ୍ଧାର କାରଣ ହୋଇଛି । ଏଥିସହ ସଂକ୍ରମଣ ଏତେ ବଢ଼ିବ ବୋଲି କେହି ଆକଳନ କରିନଥିଲେ ବୋଲି ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର ।

ଓଡିଶାରେ ମଧ୍ୟ ସମାନ ସ୍ଥିତି । ତିନି ଦିନ ହେଲା ସଂକ୍ରମଣ ସଂଖ୍ୟା ପ୍ରାୟ ୧୦ ରୁ ୧୧ ହଜାର ମଧ୍ୟରେ ରହିଛି । ମଙ୍ଗଳବାର ୯ ହଜାର ୭୯୩, ବୁଧବାର ୧୦ ହଜାର ୯୮୨ ଓ ଗୁରୁବାର ୧୦ ହଜାର ୬୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଓଡିଶାର ୩୦ ଜିଲ୍ଲାରୁ ୨୦ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ହାର ବା ସଂକ୍ରମଣ ହାର ୨୦ %ରୁ ଅଧିକ ରହିଛି । ଯାହାକି ଜାତୀୟ ସଂକ୍ରମଣ ହାରଠାରୁ ଯଥେଷ୍ଟ ଅଧିକ । କଳାହାଣ୍ଡିରେ ଟେଷ୍ଟ ପଜିଟିଭିଟି ରେଟ୍ ସର୍ବାଧିକ ୪୬ % ରହିଥିବାବେଳେ ସମ୍ବଲପୁରରେ ୩୮.୪ % , ଖୋର୍ଦ୍ଧାର ୩୬.୭ %, ଅନୁଗୁଳରେ ୩୪.୧% ରହିଛି ।

ଏସବୁ ଭିତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । କିଛି ଦିନ ପର୍ଯ୍ୟନ୍ତ ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏଭଳି ୪ ହଜାର ଉପରେ ରହିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ତେବେ ସୁସ୍ଥ ହାର ୮୬ ପ୍ରତିଶତରୁ ଅଧିକ ରହିଛି । ଯାହାକି ଆଶ୍ୱସ୍ତିର ବିଷୟ ।