ଭିତ୍ତିଭୂମି ଅଛି, ଖେଳାଳି ନାହାନ୍ତି! ଜାତୀୟ ହକି ଦଳରେ କମୁଛି ଓଡିଆ ଖେଳାଳିଙ୍କ ସଂଖ୍ୟା

84

କନକ ବ୍ୟୁରୋ : ହକି ପାଇଁ ଉନ୍ନତ ଭିତ୍ତିଭୂମି ରହିଛି ଓଡ଼ିଶାରେ। ଆଉ ଯେଉଁଠି ଭିତ୍ତିଭୂମି ଅଛି, ସେଠାରେ ନୂଆ ନୂଆ ଖେଳାଳି ବାହାରିବା ଏବଂ ଜାତୀୟ ଦଳରେ ପ୍ରତିନିଧିତ୍ବ କରିବା ସ୍ବାଭାବିକ କଥା। କିନ୍ତୁ ଓଡ଼ିଶା କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା। ଏଠାରେ ଭିତ୍ତିଭୂମି ଅଛି, କିନ୍ତୁ ସେହି ଅନୁପାତରେ ବାହାରି ପାରୁନାହାନ୍ତି ପ୍ରତିଭା। ଦିନେ ଭାରତୀୟ ହକି ଦଳରେ ଯେଉଁଠି ମାଳମାଳ ଓଡ଼ିଆ ଖେଳାଳି ଥିଲେ, ଆଜି ସେଠାରେ ରହିଛନ୍ତି ସୀମିତ ଖେଳାଳି। ଯାହା ଅଗଣିତ ହକି ପ୍ରେମୀଙ୍କୁ ନିରାଶ କରିଛି।

  • ଭିତ୍ତିଭୂମି ଅଛି, ଖେଳାଳି ନାହାନ୍ତି!
  • ଜାତୀୟ ହକି ଦଳରେ କମୁଛି ଖେଳାଳିଙ୍କ ସଂଖ୍ୟା

ବଡ଼ ବଡ଼ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଦୁଇ ଦୁଇ ଥର ହକି ବିଶ୍ବକପ୍, ହକି ଚାମ୍ପିୟନସିପ୍, ଜୁନିୟର ହକି ବିଶ୍ବକପ୍, ଏଫଆଇଏଚ୍ ପ୍ରୋ-ଲିଗ୍ ଆଦିର ଆୟୋଜନ କରାଯାଇ ବିଶ୍ବସ୍ତରରେ ଖୁବ୍ ନାଁ କମାଇଛି ଓଡ଼ିଶା। କିନ୍ତୁ ବାସ୍ତବରେ ଏହାର ଫଳାଫଳ ଶୂନ। ଦିନେ ଯେଉଁଠି ଭାରତୀୟ ହକି ଦଳରେ ଓଡ଼ିଶାର ଦବଦବା ରହୁଥିଲା, ଆଜି ସେଠାରେ ଯେପରି ଓଡ଼ିଆ ଖେଳାଳିଙ୍କ ପାଇଁ ମରୁଡ଼ି ପାଲଟିଛି। ରାଜ୍ୟରେ ହକିର ବିକାଶ ହୋଇଛି ସତ, କିନ୍ତୁ ତାହା କେବଳ ଭିତ୍ତିଭୂମିରେ ସୀମିତ ରହିଯାଇଛି। ଯେଉଁ ଅନୁପାତରେ ଅନ୍ତର୍ଜାତୀୟ ହକି ତାରକା ସୃଷ୍ଟି ହେବା କଥା ତାହା ହୋଇପାରୁନାହିଁ। ଏପରିକି ଜାତୀୟ ଦଳରେ ଖେଳାଳିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

  • ୨୦୧୮ ବିଶ୍ୱକପରେ ସ୍ଥାନ ପାଇଥିଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ
  • ୨୦୨୩ ବିଶ୍ଵକପରେ ଅମିତ୍ ରୋହିଦାସ ଓ ନୀଲମ୍ ସଞ୍ଜୀପ ଖେସ ସାମିଲ ହେଇଥିଲେ
  • ୨୦୨୦ ଅଲମ୍ପିକ୍ସ ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ସାମିଲ ହୋଇଥିଲେ
  • ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ କେବଳ ଅମିତଙ୍କୁ ସ୍ଥାନ ମିଳିଛି

ବଡ଼ କଥା ହେଉଛି, ପୁରୁଷ ଦଳରେ ଅମିତଙ୍କୁ ଛାଡି ଦେଲେ ଆଉ କେହି ଦେଖା ଯାଉନାହାନ୍ତି। ସେହିପରି ମହିଳା ଦଳରେ ମଧ୍ୟ ସେମିତି କିଛି ନୂଆ ଖେଳାଳି ଦେଖିବାକୁ ମିଳୁନାହାନ୍ତି। ଦୀର୍ଘ ସମୟ ଧରି ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ ଜାତୀୟ ଦଳରେ ଖେଳି ଆସୁଥିଲେ, ହେଲେ ଏମାନେ ଏବେ ଅବସର ଘୋଷଣା କରି ସାରିଛନ୍ତି। ଅନ୍ୟକେହି ଯୁବ ଖେଳାଳି ବାହାରି ନାହାନ୍ତି।

ଯେତେବେଳେ ରାଜ୍ୟରେ ଭିତ୍ତିଭୂମିର ଅଭାବ ଥିଲା, ସେତେବେଳେ ରାଜ୍ୟରୁ ବାହାରିଥିଲେ ଅନେକ ତାରକା। ଏବେ ଭିତ୍ତିଭୂମିର ବିକାଶ ହୋଇଥିଲେ ମଧ୍ୟ ଫଳ ଓଲଟା। ରାଜ୍ୟର ରାଜଧାନୀ ଭୁବନେଶ୍ୱର, ହକିର ଗଡ଼ ସୁନ୍ଦରଗଡ଼ରେ ମଧ୍ୟ ଭିତ୍ତି ଭୂମିର ବିକାଶ ହୋଇଥିଲେ ମଧ୍ୟ, କାହିଁକି ଅନ୍ତର୍ଜାତୀୟ ଖେଳାଳି ବାହାରୁ ନାହାନ୍ତି, ତା’ର ସମୀକ୍ଷା ଆବଶ୍ୟକ। ନୂଆ ସରକାର ଏ ଦିଗରେ ଧ୍ୟାନ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ଓଡ଼ିଶା ହକି ପ୍ରମୋସନାଲ କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ ଏବେର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ। ଏମିତି ବରିଷ୍ଠ ଖେଳାଳି ଦୀର୍ଘ ବର୍ଷ ଧରି ଗୋଟିଏ ଦାୟିତ୍ୱରେ ରହୁଥିଲେ ମଧ୍ୟ ସେମିତି ଆଖି ଦୃଷ୍ଟିଆ ଖେଳାଳି ସୃଷ୍ଟି ହୋଇପାରିନାହାନ୍ତି ଯାହା ଚିନ୍ତାର ବିଷୟ ପାଲଟିଛି।