ବଢ଼ିଚାଲିଛି ଏନଏସି ସଂଖ୍ୟା: ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

455

କନକ ବ୍ୟୁରୋ: ୧୩ ଜିଲ୍ଲାର ୨୨ଟି ସହରକୁ ମିଳିଲା ଏନଏସି ମାନ୍ୟତା । ପୂର୍ବରୁ ୩୫ଟି ନୂଆ ଏନଏସି ଓ ୫ଟି ମ୍ୟୁନସିପାଲଟି ନେଇ ଘୋଷଣା କରାଯାଇଥିଲା । ଏହାପରେ ଅନେକ ସ୍ଥାନରେ ନିଜ ନିଜ ସହରକୁ ଏନଏସି ମାନ୍ୟତା ଦେବାକୁ ନେଇ ପ୍ରତିବାଦ ହୋଇଥିଲା । ଏହାପରେ ରାଜ୍ୟ ସରକାର ୨୨ଟି ସହରକୁ ଏନଏସି ମାନ୍ୟତା ପ୍ରଦାନ କରିଛନ୍ତି । ଯାହାକୁ ନେଇ ଏବେ ସଂପୃକ୍ତ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି ।

୨୨ଟି ସହରକୁ ବିଜ୍ଞପିତ ଅଂଚଳ ପରିଷଦ ବା ଏନଏସି ମାନ୍ୟତା ମଳିବା ପରେ ପରସ୍ପରକୁ ମିଠା ଖୁଆଇ, ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଜନତା । ୧୩ ଜିଲ୍ଲାର ୨୨ଟି ସହର ଏନଏସି ମାନ୍ୟତା ପାଇଥିବା ବେଳେ ଭଞ୍ଜନଗରକୁ ମ୍ୟୁନସିପାଲଟି ଭାବେ ଉନ୍ନୀତ କରାଯାଇଛି ।

ଦୀର୍ଘ ବର୍ଷ ଧରି ହେଉଥିବା ଦାବି ସାକାର ହୋଇଛି । କେତେ ବନ୍ଦ, କେତେ ଆନ୍ଦୋଳନ ପରେ ଦାବି ପୂରଣ ହୋଇଛି । ଆଉ ଯେତେବେଳେ ନିଜ ସହରକୁ ଏନଏସିର ମାନ୍ୟତା ମିିଳିଛି, ଖୁସିରେ ସବୁଠି ସେଲିବ୍ରେସନ୍ କରାଯାଉଛି । ବୋଲଗଡ଼ରୁ ବାମରା, ଖଇରା, ପୁରୁଣାକଟକ ସବୁଠି ଖୁସି ମନାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏନଏସି ମାନ୍ୟତା ପାଇଥିବା ସହରଗୁଡ଼ିକର ତାଲିକାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣାକଟକ ଓ ବାଉଁସୁଣି, ବଲାଙ୍ଗିରର ଲୋଇସିଂହା ଓ ସିନେ୍ଧକେଲା, ବରଗଡ଼ର ସୋହେଲା, ବାଲେଶ୍ୱରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ଼, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା, ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁର ।

ଜନତାଙ୍କ ଦାବି, ବଢ଼ୁଥିବା ଜନସଂଖ୍ୟା ଏବଂ ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ଏହି ବିଜ୍ଞାପିତ ଅଂଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ପୂର୍ବରୁ ୩୫ଟି ନୂଆ ଏନଏସି ଓ ୫ଟି ମ୍ୟୁନସିପାଲଟି ନେଇ ଘୋଷଣା କରାଯାଇଥିଲା । ତେବେ ୬୮ଟି ପୁରୁଣା ବିଜ୍ଞପିତ ଅଂଚଳ ପରିଷଦ ଏବଂ ଏହାପୂର୍ବରୁ ଘୋଷଣା ହୋଇଥିବା ୩୫ ଏନଏସି ଏବଂ ନୂଆ ୨୨ ଏନଏସିକୁ ମିଶାଇ, ଓଡ଼ିଶାରେ ମୋଟ୍ ବିଜ୍ଞପିତ ଅଂଚଳ ପରିଷଦ ସଂଖ୍ୟା ୧୨୫ରେ ପହଂଚିଛି ।

ପୁରୁଣା ବିଜ୍ଞପିତ ଅଂଚଳ ପରିଷଦ ୬୮
ପୂର୍ବରୁ ଘୋଷଣା ହୋଇଥିବା ଏନଏସି ୩୫
ନୂଆ ବିଜ୍ଞପିତ ଅଂଚଳ ପରିଷଦ ୨୨
ମୋଟ: ୧୨୫

ତେବେ ୫ଟି ଅଧ୍ୟକ୍ଷ, ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଦାବି ଓ ବିକାଶର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଥିଲେ ।