କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାକୁ ଡରାଉଛି କିଡନୀ ରୋଗ । ଦିନକୁ ଦିନ ଗାଁ ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ହିନ୍ଦୋଳ ଏବଂ ଓଡାପଡା ବ୍ଲକରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ଓଡାପଡା ବ୍ଲକ ରସାସିଂ ଗାଁର ଗୋଡିସାହି ଓ ହରିଜନ ବସ୍ତିରେ ଗତ ୮ ମାସରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସାଧାରଣତଃ ଦୂଷିତ ଜଳ କିଡନୀ ରୋଗର ପ୍ରମୁଖ କାରଣ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରୁଛି । ହିନ୍ଦୋଳ ବ୍ଲକ ବାବନ୍ଧ ହରିଜନ ବସ୍ତି, ତରକାବେଡା, ଆମ୍ବିଟି, ଏବଂ ଓଡାପଡା ବ୍ଲକର ରସାସିଂ ଗାଁର ଗୋଡିସାହି, ହରିଜନ ବସ୍ତିରେ କିଡନୀ ରୋଗ ବ୍ୟାପିବାରେ ଲାଗିଛି । ସବୁଠାରୁ ଦୟନୀୟ ସ୍ଥିତିରେ ଗତି କରୁଛନ୍ତି ରସାସିଂ ଗାଁ ଗୋଡିସାହି ଏବଂ ହରିଜନ ବସ୍ତିର ଲୋକ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁଚନା ମୁତାବକ ଜିଲ୍ଲାରେ ବର୍ତମାନ ୧୧୦୩ ଜଣ କିଡନି ରୋଗରେ ପୀଡିତ । ୬୦ ପ୍ରତିଶତ ଆକ୍ରାନ୍ତ ହିନ୍ଦୋଳ ଓ ଓଡାପଡା ବ୍ଲକର ।

Advertisment

ଘରେ ଘରେ କିଡନି ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ପ୍ରତି ୬ ମାସରେ ଥରେ ରକ୍ତ ନମୂନା ସଂଗ୍ରହ କରାଯାଉଛି । କିନ୍ତୁ ରୋଗ ନିରାକରଣ ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ପିଇବା ପାଣି ଯୋଗୁଁ ରୋଗ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ । ଗାଁରେ ୱାଟର ଫିଲଟର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି । ତେଣୁ ଆସନ୍ତା ସାଧାରଣ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏପରିକି ଗାଁ ଭିତରକୁ କୌଣସି ନେତାଙ୍କୁ ପୁରାଇ ଦେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରି କିଡନୀ ରୋଗୀଙ୍କ ସଂଖ୍ୟା ବଢିବା କଥାକୁ ସ୍ୱୀକାର କରିଛନ୍ତି । ପ୍ରତିକାର ଲାଗି ମୁଖ୍ୟ ଚିକତ୍ସାଳୟରେ ମାଗଣା ଡାଏଲସିସ କରାଯିବା ସହିତ ରୋଗୀଙ୍କ ଚିକତ୍ସା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ଢେଙ୍କାନାଳ ଜିଲ୍ଲାର ଏହି ସବୁ ଅଞ୍ଚଳରେ କିଡନୀ ରୋଗ ବ୍ୟାପୁଥିବା ଖବର ୩ ବର୍ଷ ତଳେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ହେଲେ ଏଯାଏଁ ସ୍ଥିତିରେ କୌଣସି ପରିବର୍ତନ ହୋଇନାହିଁ । ବରଂ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ଘରେ ଘରେ କିଡନୀ ରୋଗୀ ଅଛନ୍ତି । ଏନେଇ ଅନେକ ଥର ଗଣମାଣଧ୍ୟମରେ ଖବର ପ୍ରସାରଣ ହୋଇଛି, ତଥାପି ସ୍ଥିତି ସୁଧୁରୁନାହିଁ । ଏବେ କିଡନୀ ରୋଗକୁ ନେଇ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରିଛନ୍ତି । ଖବର କାଗଜରେ ବାହାରିଥିବା ଏକ ଖବରକୁ ସେ ସିଏମଓ ଅଫିସକୁ ଟ୍ୟାଗ୍ କରି ଟ୍ୱିଟ୍ କରିଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହାର ରି-ଟ୍ୱିଟ୍ କରିଛନ୍ତି । ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ କଟକ ବଡମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।