ଓଡିଶାରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା । ପ୍ରାୟ ଅଧା ଆଇସିୟୁ ବେଡ ଫୁଲ । ସରକାର କହିଲେ, ଆବଶ୍ୟକ ଥିଲେ ଆସନ୍ତୁ ହସପିଟାଲ 

246

କନକ ବ୍ୟୁରୋ: ଚିନ୍ତା ବଢାଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି । ଲଗାତାର ୬ ଦିନ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬ହଜାର ୭୩ ପଜିଟିଭ । ସର୍ବାଧିକ କରୋନା ପଜିଟିଭ, ୧୦୯୨ଜଣ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ୨୪ ଘଂଟାରେ ୩୬ ହଜାର ୮୪୫ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ରାଜ୍ୟରେ କମ୍ ନମୁନା ପରୀକ୍ଷା କରାଯାଇଛି । ଫଳରେ କରୋନା ପଜିଟିଭ ରେଟ୍ ରହିଛି ୧୬.୪୮ ପ୍ରତିଶତ । ରାଜ୍ୟରେ କରୋନାର ଏହି ଟ୍ରେଣ୍ଡ କହୁଛି, ୬ ଦିନ ହେଲା ଏକ ପ୍ରକାର ସ୍ଥିର ଅଛି କରୋନା ସଂକ୍ରମଣ ।

ଦିନକରେ ଆଉ ୧୦ଜଣଙ୍କର ମୃତ୍ୟୁ ସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୭କୁ ବୃଦ୍ଧି ପାଇଛି । ଗତ ୬ ଦିନରେ କରୋନା ଯୋଗୁଁ ରାଜ୍ୟରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ଏପରି ସମୟରେ ଆଇଆଇଟି କାନପୁରର ଷ୍ଟଡି ଅନୁସାରେ ମେ ଦ୍ୱିତୀୟ ସପ୍ତାହ ବେଳକୁ  କରୋନାର ପିକ ଆସିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସଂକ୍ରମଣର ଭୟାବହତା ଭିତରେ ଯଦି କିଛି ଚିନ୍ତା ବଢାଇଛି ତା ହେଉଛି ଆଇସିୟୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି । ରାଜ୍ୟରେ ୧୦୬୦ କରୋନା ରୋଗୀ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ୨୨୩ ଜଣ ରୋଗୀ ରହିଛନ୍ତି ଭେଂଟିଲେଟରରେ । ଜେନେରାଲ ବେଡ ବା ସାଧରଣ ବେଡରେ ଚିକିତ୍ସିତ ହେଉଛନ୍ତି ୨୯୪୨ଜଣ ରୋଗୀ । ଏହାରି ଭିତରେ ଆବଶ୍ୟକ ନଥିଲେ ହସ୍ପିଟାଲ ବେଡ଼ ଅକ୍ତିଆର ନକରିବାକୁ ସରକାର ପରାମର୍ଶ ଦେଇଛନ୍ତିା

ରାଜ୍ୟରେ ଟେଷ୍ଟିଂର ଚାହିଦା ବଢିଥିବା ବେଳେ ଟେଷ୍ଟିଂ କିଟର ଅଭାବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । କିନ୍ତୁ ଟାର୍ଗଟେଡ ଭାକସିନେସନ ଅର୍ଥାତ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନଙ୍କର ପରୀକ୍ଷା କରାଯିବ ବୋଲି କହିଛନ୍ତି ।