କନକ ବ୍ୟୁରୋ: ଆଖିଧରାକୁ ସାବଧାନ । ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି ଆଖିଧରା ରୋଗ । ବିଶେଷ କରି ସ୍କୁଲ ପିଲାଙ୍କ ଭିତରେ ଅତି ଶୀଘ୍ର ବ୍ୟାପୁଛି । ତେବେ ଏଥିରେ ବିଚଳିତ ନହେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହା ଏକ ଡିଆଁ ରୋଗ । ଯାହାର ହୋଇଥାଏ, ତା ସଂସ୍ପର୍ଶରେ ଆସିଲେ ବ୍ୟାପିବାର ଆଶଙ୍କା ରହିଥାଏ । ତେବେ ସଚେତନ ରହି ସ୍ୱଚ୍ଛତା ଅବଲମ୍ବନ କଲେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ।

Advertisment

ଗଜପତି ଜିଲ୍ଲା ମୋହନା ଅଂଚଳରୁ ଆସିଥିବା ଏହି ଖବର ଉପରେ ନଜର ପକାନ୍ତୁ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଲାଗିଛି ଲାଇନ୍ । ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ସବୁ ବୟସବର୍ଗର ଲୋକଙ୍କଠାରେ ସେଇ ଗୋଟିଏ ସମସ୍ୟା । ଗତ କିଛି ଦିନ ଭିତରେ ମୋହନା ଏସଏସଡି ହାଇସ୍କୁଲର ୫୦ରୁ ଅଧିକ ଛାତ୍ରଛାତ୍ରୀ ଆଖିଧରା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପରେ ଏବେ କିଛି ଛାତ୍ରଛାତ୍ରୀ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତ ଛାତ୍ରଙ୍କ ଆଖି ଲାଲ ପଡ଼ିବା ସହ ଫୁଲି ଯାଇଛି । ଏପରିକି ଆଖି କୁଣ୍ଡେଇ ହେଉଥିବା ପିଲା କହିଛନ୍ତି ।

ରାଜ୍ୟରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା କଥାକୁ ସ୍ୱୀକାର କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ନିର୍ଦ୍ଧିଷ୍ଟ ଭାବେ କେତେ ସଂଖ୍ୟା ବଢ଼ିଛି, ସେ ସମ୍ପର୍କରେ ତଥ୍ୟ ଦେଇନଥିଲେ ବି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି- ଆଖିଧରା ହେଉଛି ଭାଇରସ ଜନିତ ରୋଗ । ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ କିଛି ଭୂତାଣୁ ସକ୍ରିୟ ହୁଅନ୍ତି । ଥଣ୍ଡାକାଶ ମଧ୍ୟ ଏହି ସମୟରେ ହୁଏ ।

ଆଖିଧରା ଏକ ଡିଆଁ ରୋଗ । ଜଣଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିକାର ଆଶଙ୍କା ରହିଥାଏ । ତେବେ ସଚେତନ ରହି ସ୍ୱଚ୍ଛତା ଅବଲମ୍ବନ କଲେ ବିଶେଷ ଅସୁବିଧା ହେବ ନାହିଁ । ଗୋଟିଏ ସପ୍ତାହ ଭିତରେ ଭଲ ହୋଇଯାଉଥିବାରୁ ବିଚଳିତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆଖିଧରାକୁ ଦୃଷ୍ଟିରେ ରୋଗର ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବର୍ରୁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି । ତେବେ ସଚେତନତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଲେ ଆଖିଧରା ରୋଗର ମୁକାବିଲା କରିବା ସହଜ ।