ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି। ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

136

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, କରୋନା ବିପଦ ଟଳି ନାହିଁ, ସୁରକ୍ଷିତ ରହିବା ପାଇଁ ନିଶ୍ଚିତ ମାସ୍କ ପିନ୍ଧନ୍ତୁ ।  ମୁଖ୍ୟମନ୍ତ୍ରୀ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ ନେବାକୁ ଅପିଲ୍ କରିଛନ୍ତି । ମାଗଣା ପ୍ରିକସନ୍ ଡୋଜ୍ ଦେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ନବୀନ ।

ଗତ ୪ ଦିନ ଧରି ୫ ଶହ ଉପରେ ଦୈନିକ ସଂକ୍ରମଣ ଥିବା ବେଳେ ଗତ ୨୪ ଘଣ୍ଟାଭିତରେ ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୯ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଦୈନିକ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିଲେ, କିନ୍ତୁ ଏହି ଟ୍ରେଣ୍ଡ ବଦଳିଯାଇଛି ।

ଓଡ଼ିଶା କରୋନା ମିଟର
ତାରିଖ               ଆକ୍ରାନ୍ତ
ଜୁଲାଇ ୧୩         ୭୪୩
ଜୁଲାଇ ୧୨         ୫୦୯
ଜୁଲାଇ ୧୧         ୫୭୨
ଜୁଲାଇ ୧୦         ୫୭୬
ଜୁଲାଇ ୯            ୫୧୨

ରଥଯାତ୍ରା ସରିବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା କରୁଛି ସ୍ୱାସ୍ଥ୍ୟ ବିଭାଗ । ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ, ନିଜ ନିଜ ଅଞ୍ଚଳକୁ ଫେରିବା ପରେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖା ଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏପଟେ ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ନୂଆ ପିଜିଟିଭ୍ କେସ୍ ଆସୁଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କଟକଣା ଉପରେ ଜୋର ଦିଆଯାଇଛି । ବିଭିନ୍ନ ସ୍ଥାନରେ ଲୋକଙ୍କ ସଚେତନ କରାଯାଉଛି । ଆଗାମୀ ଦିନରେ କରୋନା ନିୟମକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ସେହିପରି ସ୍କୁଲକୁ ଫେରିବ କରୋନା କଟକଣା । ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢୁଥିବାରୁ ଏବଂ ୧୨ରୁ କମ୍ ବୟସର ପିଲା ଟିକା ନେଇନଥିବାରୁ ଭୁବନେଶ୍ୱର ମହାନଗର ନିଗମ ଏହି ପଦକ୍ଷେପ ନେବାକୁ ଯାଉଛି । ଏହାଛଡା ୩ ଦିନ ଭିତରେ ଟିକାକରଣ ତଥ୍ୟ ରାଜଧାନୀର ସମସ୍ତ ସ୍କୁଲ ଦେବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱପୂଣ୍ଣ ଭୈଠକରେ ଏହା ସ୍ଥିର ହୋଇଛି । ପିଲାଙ୍କୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ସ୍କୁଲକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପିଲାମେନ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି, ଏହା ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ସୁନିଶ୍ଚିତ କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।