ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ସାଢେ ୩ ମାସରେ ଖସିଲା ସଂକ୍ରମଣ; କମୁନି ମୃତ୍ୟୁସଂଖ୍ୟା, ୨୪ ଘଂଟାରେ ୧୩ ମୃତ

134

କନକ ବ୍ୟୁରୋ : ମହାମାରୀ ସହ ଲଢ଼େଇ ଭିତରେ ସାମ୍ନାକୁ ଆସୁଛି ଆଶ୍ୱସ୍ତିକର ଖବର । ୩ ମାସ ୨୦ ଦିନ ପରେ ରାଜ୍ୟରେ ହଜାରେ ତଳକୁ ଖସିଲା ସଂକ୍ରମଣ ସଂଖ୍ୟା । ଯାହା ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ଗତ ୨୪ ଘଂଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮୭ ନୂଆ ଆକ୍ରାନ୍ତ । ସଂଗରୋଧରୁ ୫୭୨ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଗତ ୨୪ ଘଂଟାରେ ୮୬ ଜଣ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୭ଜଣ, ଅନୁଗୁଳରୁ ୮୬, କଟକରୁ ୮୫,ମୟୂରଭଂଜରୁ ୮୪ କେନ୍ଦ୍ରପଡ଼ାରୁ ୬୦ ଜଣ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି । ବାକି ସମସ୍ତ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୮୯ ହଜାର ୬୮୯ଜଣ । ରାଜ୍ୟରେ ଏବେ ୧୨ ହଜାର ୫୮୪ଟି ସକ୍ରିୟ ମାମଲା ରହିଛି । ସେହିପରି ଗତ ୨୪ ଘଂଟାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୪ଶହ ୫୪ରେ ପହଂଚିଛି ।