କନକ ବ୍ୟୁରୋ: କରୋନା କଟକଣା ବିରୋଧରେ ଚୀନରେ ଆନ୍ଦୋଳନ । ବେଜିଂ ସମେତ ୧୩ଟି ସହରରେ ଲୋକେ କରୋନା କଟକଣାକୁ ବିରୋଧ କରି ପ୍ରଦର୍ଶନ କରୁଛନ୍ତି । ବ୍ଲାକ ଆଣ୍ଡ ହ୍ୱାଇଟ୍ କାଗଜ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଲକଡାଉନ ନିୟମ ହଟାଇ ଚଳପ୍ରଚଳ କରିବାକୁ ଦାବି କରିଛନ୍ତି ଲୋକେ । ଆଉ ସମସ୍ତ ପ୍ରକାର ସ୍ୱାଧୀନତା ଦାବି କରିଛନ୍ତି । ବିଶେଷଜ୍ଞଙ୍କ କହିବା କଥା ଚୀନରେ ଟିକାକରଣ ହୋଇଛି । ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଦେଖିଲେ ଜଣାପଡୁଛି ଟିକା ଠିକ୍ ଭାବେ କାମ କରୁନାହିଁ । ତେଣୁ ଚୀନ୍ ସରକାର ନୂଆ ଟିକା ବାବଦରେ ଚିନ୍ତା କରି କରୋନାକୁ ରୋକିବା ଆବଶ୍ୟକ ।

Advertisment

ଦୁଇ ଦିନ ହେବ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଉପରେ ରହିଛି । ରିପୋର୍ଟ ଅନୁଯାୟୀ ଚୀନରେ ୪୦ ହଜାର ୩୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ୫ମ ଦିନ ପାଇଁ ୪୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସର୍ବାଧିକ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ହେଲେ ସଂକ୍ରମଣ ରୋକିବାକୁ ଚୀନର ଜିନପିଙ୍ଗ ସରକାର ଜିରୋ କୋଭିଡ୍ ପଲିସି ଲାଗୁ କରିଛନ୍ତି । ସାଂଘାଇ, ଉହାନ, କୋରଲା ସମେତ ବିଭିନ୍ନ ସହରରେ ଏହି ନୀତି ଲାଗୁ ହୋଇଛି । ଦୀର୍ଘ ୧୦ ମାସ ହେବ ଏହି ନୀତି ଲାଗୁ ହୋଇଛି । ତେଣୁ ଘର ଭିତରେ ଲୋକେ ବନ୍ଦୀ ହୋଇ ରହିଛନ୍ତି । ପାଖାପାଖି ୬୬ଲକ୍ଷ ଲୋକ ଲକଡାଉନରେ ରହିଛନ୍ତି । ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ଏହାପରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ।

ଲୋକଙ୍କ କହିବା କଥା ହେଲା ଏଭଳି ନୀତିକୁ ଆଉ ବରଦାସ୍ତ କରିହେବନି । ତେଣୁ ଅସନ୍ତୋଷ ଜାହିର କରିବାକୁ ନିରବ ପ୍ରଦର୍ଶନ କରୁଛନ୍ତି । ସେହିପରି ଆଉ କିଛି ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରୁଛନ୍ତି ।