ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ଟପିଲା : ୨୪ ଘଂଟାରେ ୯୦ ହଜାର ୬୩୩ ଆକ୍ରାନ୍ତ ଓ ହଜାରେ ୬୫ ମୃତ ; ସେପଟେ ବିଶ୍ୱରେ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାରେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ଭାରତ

131

କନକ ବ୍ୟୁରୋ : ଦେଶରେ ସବୁ ଦିନର ରେକର୍ଡ ଟପିଲା କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ସର୍ବାଧକ ୯୦ ହଜାର ୬୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗୋଟିଏ ଦିନରେ ଏକ ହଜାର ୬୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭୦ ହଜାର ୬ଶହ ୨୬ରେ ପହଂଚିଛି । ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୨ରେ ପହଂଚିଛି । ଏପଟେ ୱାର୍ଲଡୋ ମିଟରର ତଥ୍ୟ ଅନୁସାରେ ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଂଚିଛି । କରୋନା ଆକ୍ରାନ୍ତ ତାଲିକାରେ ଭାରତ ଉପରେ ଏବେ କେବଳ ଆମେରିକା ରହିଛି । ପୂର୍ବରୁ ଭାରତ ସକ୍ରିୟ ସଂକ୍ରମିତ ତାଲିକାରେ ବିଶ୍ୱର ଦ୍ୱିତୀୟ ଥିବା ବେଳେ ଏବେ ପଜିଟିଭ ମାମଲାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଂଚିଛି ।

ବ୍ରାଜିଲରେ ଏବେ ୪୦ ଲକ୍ଷ ୯୩ ହଜାର ୫୮୬ ପଜିଟିଭ ମାମଲା ଚିହ୍ନଟ ହୋଇଥିବା ୱାର୍ଲଡୋମିଟର କହୁଛି । ସେହିପରି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଆମେରିକାରେ ପଜିଟିଭ ସଂଖ୍ୟା ୬୪ଲକ୍ଷ ୧୦ହଜାର ୨୯୫ ରହିଛି । ସେହିପରି ବିଶ୍ୱରେ ସକ୍ରିୟ ସଂକ୍ରମିତ ତାଲିକାରେ ଶୀର୍ଷରେ ଆମେରିକା, ଦ୍ୱିତୀୟରେ ଭାରତ ଓ ତୃତୀୟରେ ରହିଛି ବ୍ରାଜିଲ ।  ଆମେରିକାରେ କରୋନା ୧ଲକ୍ଷ ୯୨ ହଜାର ୪୨୫ ମୁଣ୍ଡ ନେଇଥିବା ବେଳେ ବ୍ରାଜିଲରେ ମହାମାରୀ ଭୁତାଣୁରେ ୧ଲକ୍ଷ ୨୫ ହଜାର ୬୫୯ ଜଣଙ୍କ ଜୀବନ ଯାଇଛି ।