ରାଜ୍ୟରେ ବଢିଲା ବିଜେପି ସାଂସଦଙ୍କ ସଂଖ୍ୟା ହେଲେ ବଢିଲାନି ମନ୍ତ୍ରୀ ପଦ । ଓଡିଆ ମହିଳା ସାଂସଦଙ୍କୁ ମିଳିଲାନି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ

249

କନକ ବ୍ୟୁରୋ: କେନ୍ଦ୍ରରେ ଏନଡିଏ ସରକାର ହେବା ସହ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଆଉ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ତିନି ସାଂସଦଙ୍କୁ ମିଳିଛି ସ୍ଥାନ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ତେବେ ପୂର୍ବରୁ ବି ଏହି ତିନି ଜଣ ସାଂସଦ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ଆସନ ବିଜେପି ଖାତାକୁ ଯାଇଥିବାବେଳେ ଆଶା କରାଯାଉଥିଲା, କେନ୍ଦ୍ର କ୍ୟାବିନେଟରେ ଅଧିକ ଓଡିଆ ସାଂସଦଙ୍କୁ ସ୍ଥାନ ମିଳିବ । ହେଲେ ଗତକାଲି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସବୁ ଆଶା ମଉଳି ଯାଇଛି । ପୁଣିଥରେ ପୁରୁଣା ଚେହେରାଙ୍କୁ ଭରସା କରାଯାଇଛି । ଏଥର ଏନଡିଏର ଅନ୍ୟ ସହଯୋଗୀ ଦଳର ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ବିଜେପି ରାଜ୍ୟରେ ଭଲ ପ୍ରଦର୍ଶନ କରିଥିବାରୁ ରାଜ୍ୟର ଅନେକ ସାଂସଦକୁ କେନ୍ଦ୍ର ମନ୍ତ୍ରିଣ୍ଡଳରେ ସ୍ଥାନ ମିଳିବ ବୋଲି ଆଶା କରାଯାଉଥିଲା ।