କନକ ବ୍ୟୁରୋ: ଆଗାମୀ ୧୫ ମାସ ଭିତରେ ଟିମ୍ ଇଣ୍ଡିଆ ୩ଟି ଆଇସିସି ଟାଇଟଲ୍ ଜିତିବ କି? ଏକଥା ଆମେ ଏଥିପାଇଁ କହୁଛୁ, କାରଣ ଆଗାମୀ ୧୫ ମାସ ଭିତରେ ଭାରତୀୟ ଟିମ୍ ଖେଳିବାକୁ ଯାଉଛି । ଯାହା ଉପରେ ରହିଛି ପ୍ରତିଟି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର । ହିଟମ୍ୟାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳୁଛି । ଯେଉଁଥିରୁ ଭାରତ ସିରିଜ୍ ବିଜୟୀ ହୋଇଥିଲେ ମଧ୍ୟ ଶେଷ ସିରିଜର ଶେଷ ମ୍ୟାଚ୍ ଆସନ୍ତା ୭ ତାରିଖରୁ ଧର୍ମଶାଳାରେ ଖେଳାଯିବ । ଏହା ପରେ ପରେ ଭାରତୀୟ ଟିମର ଖେଳାଳୀ ଆସନ୍ତା ୨୨ ତାରିଖରୁ ଆଇପିଏଲ ଭଳି କ୍ରିକେଟ୍ ମହାକୁମ୍ଭରେ ନିଜର ଜଲୱା ଦେଖାଇବେ । ଏବଂ ଆଇପିଏଲ ଶେଷ ହେଉ ହେଉ କିଛି ଦିନର ବିରତି ପରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ । ଏଭଳି କ୍ଷେତ୍ରରେ ଲଗାତାର ମ୍ୟାଚ୍ ଭାରତୀୟ ଟିମ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି କ୍ରୀଡ଼ା ସମୀକ୍ଷକ ଚିନ୍ତାପ୍ରକାଶ କରିଛନ୍ତି ।

Advertisment

ଜୁନ୍ ୧ ତାରିଖରୁ ୨୯ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଆଉ ଏଥର ଟି-୨୦ ବିଶ୍ୱକପରେ ଭାରତୀୟ ଟିମକୁ ରୋହିତ ହିଁ ସମ୍ଭାଳିବେ ବୋଲି ନିଶ୍ଚିତ କରିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହ । ତେବେ ଟି-୨୦ ବିଶ୍ୱକପ୍ ବାଦ୍ ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚ ମାସରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ । କିନ୍ତୁ ଏଥର ପାକିସ୍ତାନରେ ହେବ ନା ନାହିଁ ତାହା ଅନିଶ୍ଚିତତା ଭିତରେ ଅଛି. ଏବଂ ଯଦି ହୁଏ ତେବେ ଭାରତୀୟ ଟିମ୍ ପାକିସ୍ତାନ ଯାତ୍ରା କରିବ ନନାହିଁ ତାହା ମଧ୍ୟ ସସପେନ୍ସରେ ରହିଛି ।

ଆଇସିସି ଚାମ୍ପିଅନ୍ସ ଟ୍ରଫିର କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ । ତେବେ ଏହା ପୁଣି ଥରେ ଇଂଲଣ୍ଡ ମାଟିରେ ଖେଳାଯିବ । ଲଗାତାର ଭାବେ ୨୦୨୧, ୨୦୨୩ ଏବଂ ୨୦୨୫ରେ ଇଂଲଣ୍ଡ ମାଟିରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ । ତେବେ ଭାରତ ପୁଣିଥରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିପାରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା । ପୂର୍ବରୁ ଦୁଇଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିଥିଲେ ବି ଭାରତ ପରାଜୟର ସାମ୍ନା କରିଛି କିନ୍ତୁ ଯଦି ଏଥର ଭାରତ ଫାଇନାଲକୁ ଯାଏ ତେବେ ସୁଯୋଗ ହାତଛଡ଼ା କରିବାକୁ ଚାହିଁବନି । ସବୁଠାରୁ ବଡ଼କଥା ହେଲା, ଭାରତ ୧୧ ବର୍ଷ ବିତିଯାଇଥିଲେ ବି କୌଣସି ଆଇସିସି ଟଫ୍ରି ଜିତିପାରିନାହିଁ । ଶେଷଥର ପାଇଁ ଭାରତୀୟ ଟିମ୍ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୩ରେ ଆଇସିସି ଟାଇଟଲ ଜିତିଥିଲା ଏହାପରେ ମରୁଡ଼ି ଟ୍ରଫି ପାଇଁ ମରୁଡ଼ି ପଡ଼ିଯାଇଛି ।