ରଥଯାତ୍ରାରେ ଆସିଲା ଅଘଟଣର ଖବର: ରଥ ଟାଣିବାବେଳେ କେଉଁଠି ଲାଗିଲା କରେଣ୍ଟ ତ କେଉଁଠି ରଥ ଚଢି କଟିଗଲା ହାତ

566

କନକ ବ୍ୟୁରୋ: ରଥଯାତ୍ରାରେ ବିଭିନ୍ନ ଆଡୁ ଅଘଟଣର ଖବର ଆସିଛି । ବାଲେଶ୍ୱର ଜିଲ୍ଲା ବସ୍ତାରେ ରଥ ଟାଣୁଥିବାବେଳେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ବସ୍ତା ଥାନା ଗୁଡିଖାଳ ଗାଁରେ ଶତାଧିକ ଲୋକ ରଥ ଟାଣୁଥିବାବେଳେ ମଠସାହି ନିକଟ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହିତ ରଥଟି ଲାଗି ଯାଇଥିଲା । ବର୍ଷା ଯୋଗୁଁ ରଥ ଓଦା ଥିବାବେଳେ ଏହା ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଗଲା । ହେଲେ ସେମାନଙ୍କ ଭିତରୁ ଆଗରଡା ଗାଁର ଅନିଲ କୁମାର ସାହୁ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ରଥ ଟାଣିଲାବେଳେ ଚକ ତଳେ ଚାପିହୋଇ ଜଣେ ନାବାଳକଙ୍କ ହାତ କଟି ଯାଇଛି । ସେ ଜୟପାଟଣା ବ୍ଲକ ଆମଜୋର ଗାଁର ଘନଶ୍ୟାମ ଦୁର୍ଗା ବୋଲି ଜଣାପଡିଛି । ତୃତୀୟ ଶ୍ରେଣୀରେ ପଢୁଥିବା ଘନଶ୍ୟାମଙ୍କ ବାପା ସେନା ବାହିନୀରେ କାମ କରନ୍ତି । ମାଆଙ୍କ ସହ ଆଜି ରଥଯାତ୍ରା ଦେଖିବାକୁ ଆସିଥିବାବେଳେ ଏହି ଅଘଟଣର ଶିକାର ହୋଇଛନ୍ତି । କଳାହାଣ୍ଡି କୋକସରାରେ ଝିଅ ଘରକୁ ଯାଉଥିବାବେଳେ ପୋଲିସ ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆମପାଣି ପଂଚାୟତ କନ୍ଦାଗଡ ଗାଁର କିଆଁ ମାଝୀ ନିଜ ୧୦ ବର୍ଷର ଝିଅ ସହିତ ବିବାହିତା ଝିଅ ଘରକୁ ଯାଉଥିଲେ । ଭୁର୍ଷାଗୁଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଆମପାଣି ପୋଲିସ ଗାଡି ଦ୍ରୁତ ବେଗରେ ଆସି ତାଙ୍କୁ ଧକ୍କା ଦେଇଥିଲା । ୩ଜଣ ଗୁରୁତର ହୋଇଥିବାବେଳେ କୋକସରା ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ହୋଇଛି ।