ଆରଏମଆରସି ସର୍ଭେରୁ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ନାହିଁ ଶିଶୁଙ୍କୁ ଅଧିକ ଡର

113

କନକ ବ୍ୟୁରୋ: ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା କମ । ଆରଏମଆରସି କରିଥିବା ଗବେଷଣାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ୨୦୨୦ ମାର୍ଚ୍ଚରୁ ୨୦୨୧ ଅଗଷ୍ଟ ମଧ୍ୟରେ କରାଯାଇଥିବା ନମୁନା ପରୀକ୍ଷାରେ ୧୮ବର୍ଷରୁ ଅଧିକ ବର୍ଷର ଯେତିକି ଲୋକ ସଂକ୍ରମିତ ହୋଇଥିଲେ, ଠିକ୍ ସମାନ ହାରରେ ଶିଶୁ ବି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେଣୁ ଆଗାମୀ ଦିନରେ ଯଦି କୌଣସି ଲହର ଆସେ ତେବେ ସେଥିରେ ଯେ କେବଳ ଶିଶୁ ହିଁ ସଂକ୍ରମିତ ହେବେ ତାହା କୁହାଯାଇପାରିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି ।

ଦେଶରେ କରୋନା ସ୍ଥିତି ସୁଧୁରୁଥିବା ବେଳେ ଓ ସଂକ୍ରମଣ ମାତ୍ରା କମୁଥିବା ବେଳେ ତୃତୀୟ ଲହର କେବେ ଆସିବ କିଛି ସ୍ପଷ୍ଟ ହୋଇନାହିଁ । ହେଲେ ଯଦି ତୃତୀୟ ଲହର ଆସେ, ତାହେଲେ ଏଥିରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହୋଇପାରନ୍ତି ବୋଲି ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ନିକଟରେ ରିଜନାଲ ମେଡିକାଲ ରିସର୍ଚ ସେଣ୍ଟର, ଆରଏମଆରସି କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ଏହି ଆଶଙ୍କା ଅମୂଳକ । ତୃତୀୟ ଲହରରେ ପିଲାମାନେ ଯେ, ଅଧିକ ସଂକ୍ରମିତ ହେବେ ସେନେଇ କୌଣସି ସୂଚନା ମିଳୁନାହିଁ ।

ଆଇସିଏମଆର, ଭୁବନେଶ୍ୱର ଆରଏମଆରସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ୫ ଲକ୍ଷ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରିଥିଲେ । ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ପର୍ଯ୍ୟନ୍ତ ୫ ଲକ୍ଷ ୫୩ ହଜାର ନମୁନାର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରୁ ମୋଟ୍ ୭୫ ହଜାର ସଂକ୍ରମିତ ରିପୋର୍ଟ ଆସିଥିବା ବେଳେ ୫ ହଜାର ୯୮୮ ଜଣଙ୍କ ବୟସ ୧୮ ବର୍ଷ ଭିତରେ ଥିଲା । ଏହି ରିପୋର୍ଟ କହୁଛି ଯେ, ଅନ୍ୟ ବର୍ଗର ଲୋକମାନେ ଯେତେମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସମାନ ଭାବେ ଶିଶୁବର୍ଗ ମଧ୍ୟ ସଂକ୍ରମିତ ହୋଇଛନ୍ତି । ପିଲାମାନେ ଯେ ଅଧିକ ସଂକ୍ରମିତ ହେଉଛନ୍ତି, ଏହି ସର୍ଭେରୁ ସେଭଳି କିଛି ରିପୋର୍ଟ ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ବିଦେଶରେ ପିଲାଙ୍କୁ ଟିକା ଦିଆଯାଉଥିବା ବେଳେ ଭାରତରେ ଏହା ଆରମ୍ଭ ହୋଇନାହିଁ । ତେବେ ଦେଶରେ ଖୁବଶୀଘ୍ର ପିଲାଙ୍କ ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ।