ପ୍ରଥମ ଦେଶ ଭାବେ ଋଷିଆ କୋଭିଡ ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା: ଟିକାର ପରୀକ୍ଷଣ ସଫଳ ହୋଇଥିବା ଦାବି କଲା ରୁଷର ଏକ ଡାକ୍ତରୀ ବିଶ୍ୱବିଦ୍ୟାଳୟ

602

କନକ ବ୍ୟୁରୋ : ମସ୍କୋରୁ ଆସିଛି ଏକ ଏମିତି ଖବର ଯାହା କିଛିଟା ଆଶ୍ୱସ୍ତି ଆଣିଦେଇଛି । ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି । କ୍ଲିନିକାଲ ଟ୍ରାଏଲ ଅର୍ଥାତ ଗୋଟିଏ ଟିକା ପ୍ରସ୍ତୁତ ହେବା ପରେ ଏହା ପ୍ରଥମେ ଜୀବଜନ୍ତୁଙ୍କ ଦେହରେ ପ୍ରୟୋଗ କରାଯାଏ । ଏଥିରୁ ସକରାତ୍ମକ ସୂଚନା ମିଳିଲେ ଏକ ନିର୍ଦ୍ଦିଷ୍ଟ ମାନବଗୋଷ୍ଠୀ ଉପରେ ପ୍ରୟୋଗ କରାଯାଏ । ଯଦି ସେମାନଙ୍କ ଠାରେ ଏହା ସଫଳ ହୁଏ ବା ଭୂତାଣୁ ସହ ଲଢିବା ପାଇଁ ଆଂଟିିବଡି ପ୍ରସ୍ତୁତ ହୁଏ ତାକୁ ସଫଳ କ୍ଲିନିକାଲ ଟ୍ରାଏଲ କୁହନ୍ତି ।

ମସ୍କୋରେ ଏହି କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା କୁହାଯାଇଛି । ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି ଯେ ପ୍ରଥମ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି । ମସ୍କୋର ସବୁଠୁ ବଡ ଡାକ୍ତରୀ ବିଶ୍ୱବିଦ୍ୟାଳୟରେ ଏହି ଟିକାର ସଫଳ ପ୍ରୟୋଗ କରଯାଇଥିବା ଦାବି କରାଯାଉଥିବାରୁ କରୋନା ଲଢେଇ ଭିତରେ ନୂଆ ଆଶା ତିଆରି ହୋଇଛି । ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ବି ଏହି ଖବରକୁ ବେଶ ଗୁରୁତର ସହ ନେଇଛନ୍ତି । ଗାମାଲିଆ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାଇକ୍ରୋ-ବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଟିକାର ସଫଳ ପରୀକ୍ଷଣ ମସ୍କୋରେ ହୋଇଥିବା କୁହାଯାଉଛି । ସବୁଠାରୁ ବଡ କଥା ହେଉଛି, ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ବିଶେଷଜ୍ଞ ।

ଏଣୁ ଯଦି ଏହି ସଫଳତା ସତ ହୁଏ ତେବେ ବିଶ୍ୱରେ ଏକ ସଫଳ କରୋନା ଟିକା ତିଆରି କରିବାରେ ରୁଷ ପ୍ରଥମ ସମର୍ଥ ହୋଇଛି ବୋଲି କୁହାଯାଇପାରେ । ୧୮ଜୁନରେ ମସ୍କୋରେ ଏହି ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା । ଆଗ୍ରହ ପ୍ରକାଶ କରିଥିବା ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଉପରେ ଏହି ଟିକାର ପ୍ରୟୋଗ କରାଯାଇଥିଲା । ବର୍ତ୍ତମାନ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି ଯେ ଏହି ପରୀକ୍ଷଣ ସଫଳ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରୟୋଗ କରାଯାଇଥିବା ବ୍ୟକ୍ତି ଆସନ୍ତା ୧୫ ତାରିଖ ସୁଦ୍ଧା ହସ୍ପିଟାଲରୁ ଡିସଚାର୍ଜ ହେବେ ।

ଜୁଲାଇ ୨୦ସୁଦ୍ଧା ଟିକା ନେଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ମଣିଷ ଶରୀର ପ୍ରତି ଏହା କେତେ ସୁରକ୍ଷିତ ତାକୁ ଆଧାର କରି କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବା ବେଳେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରଯାଇଛି । ସାରା ବିଶ୍ୱରେ ପ୍ରାୟ ୧୦୦ଟି ଟିକା ଉପରେ କରୋନା ମୁକାବିଲା ପାଇଁ ଗବେଷଣା କରାଯାଉଛି । ଏଭଳି ସ୍ଥିତିରେ କିଛି ଔଷଧକୁ ନେଇ କରୋନା ଚିକିତ୍ସା ଆରମ୍ଭ ହୋଇଛି । ହେଲେ ଏପର୍ଯ୍ୟନ୍ତ କରୋନାର କୈାଣସି ନିର୍ଦ୍ଦିଷ୍ଟ ଟିକା କି ଔଷଧ ବାହାରି ନାହିଁ । ଏଣୁ ଏଭଳି ସ୍ଥିତିରେ କରୋନା ଟିକାର ପ୍ରସ୍ତୁତି ଓ ସଫଳ କ୍ଲିନିକାଲ ଟ୍ରାଏଲ ନେଇ ରୁଷର ଦାବି ବେଶ ଗୁରୁତ୍ୱପୂର୍ଣ୍ଣ ।