କନକ ବ୍ୟୁରୋ: ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି କୋରାପୁଟରୁ । ବାହାଘରର ସିନ୍ଦୂର ଲିଭିନାହିଁ, ଘର କାନ୍ଥର ଚିତ୍ର ଲିଭିନାହିଁ କିନ୍ତୁ ଯୌତୁକ ପାଇଁ ଡିଜେଲ ଢାଳି ଝିଅକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅଙ୍କ ପରିବାର ଲୋକେ । ଶରୀରର ୯୦ ପ୍ରତିଶତ ଜଳିଯିବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଛନ୍ତି ନବବଧୂ ।

ମାଲକାନଗିରିର ୨୩ ବର୍ଷିୟା ଶିବାନୀ ସିଂ । ବାହାଘରର ଦୁଇମାସ ହୋଇନି କିନ୍ତୁ ଚାଲିଗଲା ଜୀବନ । କାନ୍ଥରେ ଏବେ ବି ବାହାଘର ଲେଖା ଫିକା ପଡିନି । କିନ୍ତୁ ସ୍ୱାମୀଙ୍କ ସହ ସାତ ଫେରା ନେଇ ସୁଖଦୁଃଖରେ ସାଥୀ ହେବାକୁ ଅଗ୍ନି ଆଗରେ ସାକ୍ଷୀ ରଖିଥିବା ଶିବାନୀ ସ୍ୱପ୍ନ ଚୁରମାର ହୋଇଛି । ନିଆଁରେ ଶରୀରର ୯୦ ପ୍ରତିଶତ ପୋଡି ଯିବା ପରେ ଛଟପଟ ହୋଇ ଚାଲିଯାଇଛି ତାଙ୍କ ଜୀବନ । ଅଭିଯୋଗ ହୋଇଛି, ନବବଧୂଙ୍କୁ ଡିଜେଲ ଢାଳି ହତ୍ୟା କରିଛନ୍ତି ସ୍ୱାମୀ, ଶ୍ୱଶୁର ଓ ଶାଶୁ । ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି ଯୌତୁକ ପାଇଁ ଶିବାନୀଙ୍କୁ ହତ୍ୟା କରାଯାଇଛି । ଦୁଇମାସ ତଳେ ଘର ମୋର ସ୍ୱର୍ଗର ସ୍ୱପ୍ନ ଦେଖିଥିବା ଶିବାନୀଙ୍କ ଅଚନାକ ମୃତ୍ୟୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ ।

ଦୁଇମାସ ତଳେ ମାଲକାନଗିରି ଏମଭି ଗାଁର ଝିଅ ଶିବାନୀ ସିଂ କୋରାପୁଟ ପାଡୁଆର ଗାଁର ପ୍ରଭାସ ସିଂଙ୍କୁ ବାହା ହୋଇଥିଲେ । ଆବଶ୍ୟକ ଅନୁସାରେ ଝିଅଘର ଜିନିଷ ପତ୍ର ବି ଦେଇଥିଲେ । କିନ୍ତୁ ଯୌତୁକ ନିଆଁରେ ଯେ ଶିବାନୀଙ୍କ ଜୀବନ ଅକାଳରେ ଚାଲିଯିବ ତାହା କାହାକୁ ଜଣାଥିଲା । ମାମଲା ରୁଜୁ ହେବା ପରେ ପୁଲିସ ଅଧିକ ତଦନ୍ତ ଜାରି ରଖିିଛି । ପ୍ରଶ୍ନ ଉଠୁଛି, କେବେ ଥମିବ ଯୌତୁକର ଏହି ନିଆଁ । ଶିବାନୀଙ୍କ ଏହି ଅସ୍ୱାଭାବିକ ମୃତ୍ୟୁ ପାଇଁ ଦୋଷୀଙ୍କୁ ଦଣ୍ଡ ମିଳିବ ତ?