କନକ ବ୍ୟୁରୋ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ନୂଆ ଭୂତାଣୁ ମଙ୍କିପକ୍ସ । ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବାରେ ଲାଗିଛି । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ବିଶ୍ୱର ୧୧ଟି ଦେଶରୁ ୮୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି ।

Advertisment

ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ । ଏବେ ବ୍ରିଟେନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଛି । ସେହିପରି ୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି । ସ୍ପେନ ଓ ପର୍ତ୍ତୁଗାଲରେ ୪୦ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଏବେ ମଙ୍କିପକ୍ସକୁ ନେଇ ନୂଆ ତଥ୍ୟ ଦେଇଛନ୍ତି ବ୍ରିଟେନର ବିଶେଷଜ୍ଞ ଡାକ୍ତର କ୍ଲେୟାର ଡେସ୍ନାପ୍ । ତାଙ୍କ କହିବା ଅନୁସାରେ ମଙ୍କିପକ୍ସ ଭୂତାଣୁ ଯୌନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଏହି ଭୂତାଣୁୁ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଅଲଗା ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ବିଶ୍ୱରେ ଆତଙ୍କ ଖେଳାଇବା ପରେ ଏବେ ଭାରତ ସରକାର ଏହାକୁ ନେଇ ସତର୍କ ହୋଇଛନ୍ତି । ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ଏପରିକି ତାଙ୍କୁ ସଙ୍ଗରୋଧରେ ରଖି ନମୂନା ସଂଗ୍ରହ କରିବା ସହ ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଇବା ପାଇଁ କୁହାଯାଇଛି ।
ସେହିପରି ଆଫ୍ରିକୀୟ ଦେଶଗୁଡିକରେ ଦେଖା ଦେଇଥିବା ଏହି ନୂଆ ପ୍ରକାର ଭୂତାଣୁର ଲକ୍ଷଣ ଓ ବ୍ୟବହାର ଉପରେ ନଜର ରଖିବାକୁ ଆଇସିଏମଆରକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ବଡକଥା ହେଉଛି ସଂକ୍ରମିତ ହୋଇଥିବା ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଫଳରେ ଏହା ମଣିଷଙ୍କୁ ସଂକ୍ରମିତ ହୋଇଥାଏ । କିମ୍ବା ସଂକ୍ରମିତ ପ୍ରାଣୀଙ୍କ ରକ୍ତ, ଲାଳ, ଲୋମକୁ ଛୁଇଁବା ଫଳରେ ଏହା ବ୍ୟାପିବାର ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ରୋଗୀଙ୍କ ବିଛଣା, ପୋଷାକ ମାଧ୍ୟମରେ ବି ଏହା ବ୍ୟାପିପାରେ । ମଣିଷ ଦେହରେ ଏହି ସଂକ୍ରମଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହୁଛି । ଦେହର ବିଭିନ୍ନ ଭାଗରେ ଫଳିଯିବା କିମ୍ବା ବଡବଡ ଫୋଟକା ହେବା ଏବଂ ଜ୍ୱର ହେବା ଭଳି ଲକ୍ଷଣ ଦେଖାଯାଉଛି । ଭାରତରେ ଏହି ରୋଗ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ ।