କନକ ବ୍ୟୁରୋ: ଭାରି ପଡ଼ିବ ଜେଏନୟୁରେ ଧାରଣା କି ପ୍ରଦର୍ଶନ କରିବା । ବିଭିନ୍ନ ସମୟରେ ଦଙ୍ଗା –ହଙ୍ଗାମା, ଜାତିବାଦକୁ ନେଇ ରଣକ୍ଷେତ୍ର ପାଲଟିଥାଏ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ । ତେବେ ଏହି ହିଂସାକାଣ୍ଡ, ହଙ୍ଗାମା, ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଜେଏନୟୁ ପକ୍ଷରୁ ନୂଆ ନିୟମାବଳୀ ଲାଗୁ କରାଯାଇଛି । ଏଣିକି ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଧାରଣା ବା ହିଂସାକାଣ୍ଡ ଘଟାଇଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଜେଏନ୍ୟୁ ପରିସରରେ ଧାରଣା ଦେଲେ ୨୦ ହଜାର ଜରିମାନା ଦେବାକୁ ପଡ଼ିବ । ଏହା ସହ ହିଂସାକାଣ୍ଡ କଲେ କିମ୍ବା ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ ଦେବାକୁ ପଡ଼ିବ ୩୦ହଜାର ଟଙ୍କାର ଜରିମାନା । କେବଳ ଜରିମାନା ଦେବାକୁ ପଡ଼ିବ ତାହା ନୁହେଁ ଏହା ସହ ଆଡମିସନ ମଧ୍ୟ ରଦ୍ଦ ହୋଇପାରେ ।

Advertisment

ଜେଏନୟୁର ନୂଆ ନିୟମ ୩ ଫେବ୍ରୁୟାରୀରୁ ଲାଗୁ କରାଯାଇଛି, ଯାହାକୁ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ଅନୁମୋଦନ ଦେଇଛି । ଯାହା ଜେଏନୟୁର ସମସ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟକାରୀ ହେବ । ତେବେ ହୋଇଥିବା ନୂଆ ନିୟମକୁ ନେଇ ଏକ ୧୦ ପୃଷ୍ଠାର ନିୟମାବଳୀ ଜାରି କରାଯାଇଛି । ଯାହାର ନାମ ରହିଛି ‘ଅନୁଶାସନ ଓ ଉଚିତ ଆଚରଣର ନିୟମ’ । ତେବେ ଏଥିରେ ୧୭ ଟି ଅଲଗା ଅଲଗା ମାମଲାକୁ ନେଇ ଦଣ୍ଡ ଉଲ୍ଲେଖ ରହିଛି । ଏବେ ଆସନ୍ତୁ ନଜର ପକାଇବା, କ’ଣ ଏହି ନିୟମାବଳୀ

- ଧାରଣା କିମ୍ବା ଆମରଣ ଅନଶନ କଲେ ୨୦ହଜାର ଟଙ୍କା ଜରିମାନା
- କ୍ୟାମ୍ପସ ଭିତରେ ହିଂସାକାଣ୍ଡ ଘଟାଇଲେ ଦେବାକୁ ପଡ଼ିବ ୩୦ହଜାର ଟଙ୍କା
- ହିଂସାକାଣ୍ଡ ଘଟାଇଲେ ରଦ୍ଦ ହୋଇପାରେ ଆଡମିଶନ୍
- ଛାତ୍ରଙ୍କ ବିରୋଧରେ ସମ୍ପୃକ୍ତ ଅଭିଯୋଗର ଏକ କପି ବାପାମାଆଙ୍କ ପାଖକୁ ମଧ୍ୟ ପଠାଯିବ
-ଜୁଆ, ଯୌନଶୋଷଣ, ର୍ୟାଗିଂ, ଅସଦାଚରଣ, ଛାତ୍ରାବାସରେ ଅନଧିକୃତ କବ୍ଜା, ଅପମାନଜନକ ଭାଷା ବ୍ୟବହାର ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ
-ଶିକ୍ଷକ ଏବଂ ଛାତ୍ରଙ୍କ ସମ୍ପୃକ୍ତ ମାମଲାରେ ବିଶ୍ୱବିଦ୍ୟାଳୟ ସହ କେନ୍ଦ୍ର ଅଭିଯୋଗ ନିବାରଣ ସମିତିକୁ ପଠାଯିବ

ଜେଏନୟୁର ଏପରି ନିୟମ ସେତେବେଳେ ଜାରି ହୋଇଛି, ଯେବେ ବିଶ୍ୱବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଜେଏନୟୁରେ ବହୁ ବିବାଦ ଦେଖାଦେଇଥିଲା । ତେବେ ଏହି ନିୟମକୁ ସର୍ବୋଚ୍ଚ କାର୍ଯ୍ୟକାରୀ ପରିଷଦ ଅନୁମୋଦନ କରିଛନ୍ତି ।