କନକ ବ୍ୟୁରୋ: ରବିବାର ଉଦଘାଟନ ହେବ ଭାରତର ନୂଆ ସଂସଦ ଭବନ । ଏଥିପାଇଁ ଚେନ୍ନାଇରୁ ୨୧ ଜଣ ପୂଜକ ଦିଲ୍ଲୀ ଆସିଛନ୍ତି । ଉଦଘାଟନ ଉତ୍ସବରେ ୧୩୦୦ ବର୍ଷ ତଳର ତାମିଲନାଡୁ ମଦୁରାଇରେ ଥିବା ଶିବ ମନ୍ଦିରର ୨୯୩ ତମ ମୁଖ୍ୟ ପୂଜାରୀ ଶ୍ରୀ ଲା ଶ୍ରୀ ହରିହର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ରାଜଦଣ୍ଡ‘ ପ୍ରଦାନ କରିବେ । ରାଜଦଣ୍ଡ ହେଉଛି ଶାସନର ପ୍ରତୀକ । ଭାରତ ସ୍ୱାଧୀନ ହେବା ପରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ବ୍ରିଟିସଙ୍କଠାରୁ ରାଜଦଣ୍ଡ ଗ୍ରହଣ କରିଥିଲେ ।
ନୂଆ ସଂସଦ ଭବନରେ କ’ଣ ରହିଛି ସ୍ୱତନ୍ତ୍ରତା?
-ମୋଟ ୬୪ ହଜାର ୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ କରାଯାଇଛି
-ନୂଆ ସଂସଦ ଭବନ ୪ ମହଲା ବିଶିଷ୍ଟ ଅଟେ
-୯୭୦ କୋଟି ଟଙ୍କା ବ୍ୟୟରେ ଟାଟା ପ୍ରୋଜକ୍ଟ ଏହି ଭବନ ନିର୍ମାଣ କରିଛି
-ସଂସଦ ଭବନ ମଝିରେ ରହିଛି ସ୍ୱାମ୍ବିଧାନିକ ହଲ୍
-ଏଥିରେ ସାଂସଦମାନଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ବିଶ୍ରାମଘର ରହିଛି
-ଅଧିକ ସ୍ଥାନ ପାଇଁ ତ୍ରିଭୁଜ ଆକୃତିରେ ଏହାର ନିର୍ମାଣ କରାଯାଇଛି
-ଜାତୀୟ ପକ୍ଷୀ ମୟୁରରୁ ଅନୁପ୍ରେରିତ ହୋଇ ଲୋକସଭା ହଲ୍ ନିର୍ମାଣ କରାଯାଇଛି
-ଜାତୀୟ ଫୁଲ ପଦ୍ମରୁ ଅନୁପ୍ରାଣିତ ହୋଇ ରାଜ୍ୟସଭା କକ୍ଷ ତିଆରି ହୋଇଛି
-ଲୋକସଭାରେ ୮୮୮ ଟି , ରାଜ୍ୟସଭାରେ ୩୪୮ ଟି ଆସନ ରହିଛି
-ସବୁ ଆସନ ସମ୍ମୁଖରେ ମଲ୍ଟିମିଡିଆ ଡିସପ୍ଲେ ଲଗାଯାଇଛି
-ମିଳିତ ଅଧିବେସନ ପାଇଁ ୧୨୭୨ ଆସନ ବିଶିଷ୍ଟ ନୂଆ କକ୍ଷ ରହିଛି
-ଭୂମିକମ୍ପରେ ଗୃହ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ଶୈଳୀର ଏହାର ନିର୍ମାଣ କରାଯାଇଛି
ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବ ପାଇଁ କଡା ସୁରକ୍ଷା ବଳୟରେ ଭିତରେ ରହିଛି ଭବନ । ଦେଶ ବିରୋଧୀ, ପ୍ରଧାନମନ୍ତ୍ରୀ ବିରୋଧୀ ସ୍ଲୋଗାନ ସଂସଦ ଭବନ ପାଚେରୀରେ ଲେଖାଯିବାର ଆଶଙ୍କା ଥିବା ଗୁଇନ୍ଦା ସୂଚନା ମିଳିଥିବାରୁ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ ଜଣ ସୁରକ୍ଷା କର୍ମୀଙ୍କୁ ସଂସଦ ଭବନ ଚାରିପଟେ ମୁତୟନ କରାଯାଇଛି ବୋଲି କହିଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ କମିଶନର ଦିପେନ୍ଦ୍ର ପାଠକ ।
୧୯୨୭ ମସିହାରେ ବର୍ତମାନର ସଂସଦ ଭବନ ନିର୍ମାଣ କରାଯାଇଥିଲା । ପ୍ରାୟ ଶହେ ବର୍ଷ ପରେ ଭାରତର ନୂଆ ସଂସଦ ଭବନ ଉଦଘାଟନ ହେବାକୁ ଯାଉଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି ।
Follow Us