ଟ୍ରାଫିକ୍ ପୋଷ୍ଟରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି: ନୂଆମନ୍ତ୍ରୀଙ୍କ ନୂଆ ପରିକଳ୍ପନା । ହଟିବ ରେଡ୍ ଲାଇଟ୍, କରାଯିବ ବିକଳ୍ପ ବ୍ୟବସ୍ଥା

200

କନକ ବ୍ୟୁରୋ: ନୂଆ ସରକାର ଆସିଲେ । ପୂର୍ବ ସରକାର ଯେଉଁ ସବୁ ପ୍ରକଳ୍ପ କରିଥିଲେ, ସେସବୁ ଆଗକୁ ଜାରି ରହିବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖା ଦେଇଥିଲା । କିନ୍ତୁ ବିଜେପି ସରକାର ପୁରୁଣା ପ୍ରକଳ୍ପକୁ ଜାରି ରଖିବାକୁ ନିଷ୍ପତି ନେଇଛି । ଏହି ପ୍ରକଳ୍ପ ଭିତରେ ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ । ଆଉ ଏହି ପ୍ରକଳ୍ପ ଆଗକୁ ଜାରି ରହିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ସେହିପରି ଟ୍ରାଫିକ ପୋଷ୍ଟରେ ରେଡ୍ ଲାଇଟ୍ ହଟିବା ଭଳି ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏ ପ୍ରକଳ୍ପ ଜାରି ରହିବ, ନା ବନ୍ଦ ହେବ । ଯାହାକୁ ନେଇ ସ୍ପଷ୍ଟ ଉତର ରଖିଛନ୍ତି ନୂଆ କରି ଦାୟିତ୍ୱ ନେଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କହିଛନ୍ତି, ବନ୍ଦ ହେବନି ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର- କଟକରେ ମେଟ୍ରୋ ଟ୍ରେନ୍ ଗଡ଼ିବାର ସ୍ୱପ୍ନ ହେବ ସାକାର । ପ୍ରକଳ୍ପ ପାଇଁ ଆବଶ୍ୟକ ପଡ଼ିଲେ, କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ । ଡବଲ ଇଞ୍ଜିନ ସରକାରରେ ନିଶ୍ଚିତ ଭାବେ ଓଡ଼ିଶାକୁ ସହଯୋଗ କରାଯିବ ।

ଟ୍ରାଫିକ୍ ପୋଷ୍ଟରେ ଜନସାଧାରଣଙ୍କୁ ଘଂଟା ଘଂଟା ଧରି ଆଉ ଅପେକ୍ଷା କରିବାକୁ ପଡ଼ିବନି । ଯାତାୟତ ବ୍ୟବସ୍ଥା ସୁଗମ କରିବା ପାଇଁ ରେଡ୍ ଲାଇଟ୍କୁ ହଟାଇବାକୁ ରାଜ୍ୟ ସରକାର ଯୋଜନା କରୁଥିବା କହିଛନ୍ତି ମନ୍ତ୍ରୀ । ଏହା ବଦଳରେ ବିକଳ୍ପ ବ୍ୟବସ୍ଥା କରାଯିବ । ଓଭର ବ୍ରିଜ, ଆପ୍ରୋଚ୍ ରୋଡ୍ ପରି ବ୍ୟବସ୍ଥା କରାଯିବ । ବିଭାଗ ସ୍ତରୀୟ ଆଲୋଚନା କରାଯାଇ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । କିନ୍ତୁ ଏହା କାର୍ଯ୍ୟକାରୀ ହେବା ସମୟ ସାପେକ୍ଷ ।

ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ନେଇ ବିଭାଗ ତତ୍ପର ହୋଇଛି । ମାସକ ଭିତରେ ମୁକୁଳା ଡ୍ରେନ୍ ଗୁଡ଼ିକରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବ୍ୟାରିକେଡ କାମ । ବ୍ୟାରିକେଡ୍ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ଅନ୍ୟପଟେ ଅଫିସରେ ନରହି, ଗ୍ରାଉଣ୍ଡରେ ରହିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

କେବଳ ସେତିକି ନୁହେଁ, ଟ୍ୱିନ୍ ସିଟି ବଦଳରେ ଟ୍ରିପଲ ସିଟି କରିବା ପାଇଁ ଅଂଟା ଭିଡ଼ିଲାଣି ବିଭାଗ । କଟକ ଓ ଭୁବନେଶ୍ୱର ସହ ପୁରୀକୁ ସାମିଲ କରିବା ପାଇଁ ବିଚାରବିମର୍ଶ ଚାଲିଥିବା ମନ୍ତ୍ରୀ କହିଛନ୍ତି ।