ଅକ୍ଟୋବର ମାସରୁ ମଞ୍ଜରୀ ଟିଭିରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ସୁନା ଫରୁଆ । ପ୍ରେମ ଓ ପ୍ରତିଶୋଧର କାହାଣୀ ଦେଖିବେ ଦର୍ଶକ ।

112

କନକ ବ୍ୟୁରୋ: ଓଡିଆ ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀ ଟିଭିରେ ଚଳିତ ଅକ୍ଟୋବର ମାସରୁ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ‘ସୁନା ଫରୁଆ’ । ଯାହାର ପ୍ରଥମ ପ୍ରମୋ ଏବେ ୟୁଟ୍ୟୁବରେ ରିଲିଜ୍ ହୋଇଛି । ଅଲୌକିକ, କାଳ୍ପନିକ ଓ ରହସ୍ୟମୟ କଥାବସ୍ତୁ ଉପରେ ଆଧାରିତ ଏହି ମେଗା ଧାରାବାହିକରେ ଓଲିଉଡ୍ ଜଗତର ନାମୀଦାମୀ ଅଭିନେତ୍ରୀ ଉଷସୀ ମିଶ୍ର ଓ ନୈନା ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ନିଜର ଆସିବେ । ତେବେ ପାରିବାରିକ କଥାବସ୍ତୁ ଉପରେ ହୋଇଥିବା ଏହି କାହାଣୀରେ ଅତୀତର ଅନେକ ରହସ୍ୟକୁ ଉନ୍ମୋଚନ କରିବା ସହିତ ଭଲ ଏବଂ ମନ୍ଦ ଭିତରେ ଥିବା ନିରନ୍ତର ଯୁଦ୍ଧକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ।

ଭଂସାଲୀ ପ୍ରଡକ୍ସନଠାରୁ ପ୍ରେରିତ ହୋଇ ଓଡିଶାର ପ୍ରମୁଖ ପ୍ରଡକ୍ସନ ହାଉସ୍ ଭି.କେ. ପ୍ରଡକ୍ସନ ଏହିଭଳି ଉଚ୍ଚକୋଟୀର ଧାରାବାହିକ ପ୍ରସ୍ତୁତ କରିଛନ୍ତି । ତେବେ ମଞ୍ଜରୀ ଟିଭି ସବୁବେଳେ ସମସ୍ତ ସମ୍ପର୍କକୁ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରିଆସିଛି । ମହିଳା ମାନଙ୍କ ଚରିତ୍ରଗୁଡିକୁ ସବୁବେଳେ ଚିରାଚରିତ ଧାରାଠାରୁ ଭିନ୍ନ ଭାବେ ଦର୍ଶାଇଛି । ମଞ୍ଜରୀ ଚ୍ୟାନେଲର ଏହା ଷଷ୍ଠ ମେଗା ଧାରାବାହିକ ହୋଇଥିବାବେଳେ, ଅନ୍ୟ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ।

ମଞ୍ଜରୀରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ମୋ ଦେହେ ବୋଳିଦେ ତୋ ଦେହ କଳା, ନଣନ୍ଦ ପୁଟୁଳି, ସିଂହଦ୍ୱାର, ରକ୍ତ ସମ୍ପର୍କ ଏବଂ ବୋହୂ ଆମର ଏନଆରଆଇ ଏବେ ଦର୍ଶକଙ୍କ ମନ ମୋହୁଥିବାବେଳେ ନୂଆ ମେଗା ଧାରାବାହିକ ସୁନା ଫରୁଆ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ତେବେ ମେଗା ଧାରାବାହିକ ବ୍ୟତୀତ ମଞ୍ଜରୀ ଟିଭିରେ ଭାଉଜ ନମସ୍କାର, ମ୍ୟୁଜିକ୍ ମାଫିଆ, ହେଲୋ ହାଏ ନମସ୍କାର, ଦିବ୍ୟ ଚେତନା ଓ ଶ୍ରୀମଦ ଭାଗବତ ଭଳି ଶୋ’ ମଧ୍ୟ ପ୍ରସାରିତ ହେଉଛି ।