ଏଣିକି ୯ ଘଂଟା ଜାଗାରେ ୮ ଘଂଟା କଂପାନୀରେ ଖଟିବେ କର୍ମଚାରୀ ! ୧୫ ମିନିଟ୍ ବି ଅଧିକ ସମୟ ଅଫିସରେ ରହିଲେ ଓଭରଟାଇମ୍ ଦେବାକୁ କଂପାନୀ ବାଧ୍ୟ ! ୱାର୍କିଂ ଆୱାରଠୁ ଅଧିକ କାମ କରାଇଲେ କର୍ମଚାରୀଙ୍କୁ ମିଳିବ ଦୈନିକ ଦରମାର ଦୁଇଗୁଣା ମଜୁରୀ

583

କନକ ବ୍ୟୁରୋ: ଏଣିକି ୯ ଘଂଟିଆ ବଦଳରେ ୮ ଘଂଟିଆ କାମ କରିବେ କର୍ମଚାରୀ । ୮ ଘଂଟାରୁ ଅଧିକ କାମ କଲେ ଏବେ କର୍ମଚାରୀ ପାଇବେ ଓଭରଟାଇମ । ତେବେ ୨୦୧୯ରେ କେନ୍ଦ୍ର ସରକାରଙ୍କ ତରଫରୁ ନୂଆ ବେତନ କୋଡ ପାରିତ ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କ ୱାର୍କିଂ ଆୱାରକୁ ୮ରୁ ୧୨ ଘଂଟିଆ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା ।

୧୨ ନୁହେଁ, ୮ ଘଂଟା ହେବ ୱାର୍କିଂ ଆୱାର !

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କର୍ମଚାରୀଙ୍କ ଡେଲି ୱାର୍କିଂ ଆୱାର୍ସକୁ ୮ ଘଂଟା ହିଁ ରଖିବାକୁ ବିଚାର କରାଯାଉଛି । କିନ୍ତୁ ଏହାପରେ ଓଭରଟାଇମ ଆରମ୍ଭ ହେବ । ଆଉ ଏହି ଓଭରଟାଇମର ଦରମା କର୍ମଚାରୀଙ୍କ ଦୈନିକ ଦରମାଠୁ ପ୍ରାୟ ଦୁଇଗୁଣା ରହିବ ।

୧୫ ମିନିଟରୁ ଅଧିକ ଖଟିଲେ ଓଭରଟାଇମ୍ !

ଫାକ୍ଟ୍ରିଜ୍ ଆକ୍ଟ ଅନୁଯାୟୀ, ବିଭିନ୍ନ କଂପାନୀମାନଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ୯ ଘଂଟାରୁ ଅଧିକ ସମୟ କାମ କରାଉଥିଲେ ବି ସେମାନଙ୍କୁ ଓଭରଟାଇମ ଦିଅନ୍ତି ନାହିଁ । କାରଣ ସାଂପ୍ରତିକ ବ୍ୟବସ୍ଥା ଅନୁସାରେ, ଯଦି କୌଣସି କର୍ମଚାରୀ ତାର ଧାର୍ଯ୍ୟ ସମୟ ପରେ ୩୦ ମିନିଟରୁ କମ ସମୟ ଅଧିକ ଦିଅନ୍ତି ତେବେ ତାକୁ ଓଭରଟାଇମ ଧରା ଯିବନାହିଁ । ମାତ୍ର ଏହି ନୂଆ ଶ୍ରମ ଆଇନ ଅନୁସାରେ, ଏଣିକି ୧୫ ମିନିଟ୍ ରୁ ୩୦ ମିନିଟ୍ ସମୟକୁ ଅଧ ଘଂଟାର ଓଭରଟାଇମ ଭାବେ ଗ୍ରହଣ କରାଯିବ । ଅର୍ଥାତ୍ ଧାର୍ଯ୍ୟ କାର୍ଯ୍ୟ ଅବଧିଠାରୁ ଯଦି ଆପଣ ୧୫ ମିନିଟ୍  ବି ଅଧିକ ସମୟ ଅଫିସକୁ ଦିଅନ୍ତି ତେବେ ଆପଣଙ୍କୁ ୩୦ ମିନିଟର ଓଭରଟାଇମ୍ ମିଳିବ ।

ସମୟରେ ମିଳିବ କର୍ମଚାରୀଙ୍କୁ ଦରମା !

ନୂଆ ବେତନ ଆଇନ ୨୦୧୯କୁ ଅଗଷ୍ଟ ମାସରେ ସାଂସଦରେ ପାରିତ କରାଯାଇଥିଲା, ଯାହାକୁ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଲାଗୁ କରିବାକୁ ଯୋଜନା କରାଯାଉଛି । ଏଥିରେ କର୍ମଚାରୀଙ୍କ ଦରମା, ବୋନସ ସଂକ୍ରାନ୍ତରେ ଚାରି ପ୍ରକାରର ନିୟମ ସ୍ଥିର କରାଯାଇଛି । ଯାହାକୁ  ପେମେଂଟ ଅଫ୍ ମଜୁରୀ ଆକ୍ଟ-୧୯୩୬, ସର୍ବନିମ୍ନ ମଜୁରୀ ଅଧିନିୟମ-୧୯୪୮, ପେମେଂଟ ଅଫ୍ ବୋନଓ ଆକ୍ଟ-୧୯୬୫ ଏବଂ ସମାନ ଦରମା ଆଇନ-୧୯୭୬ ରଖାଯାଇଛି । ତେବେ ଏହି ନୂଆ ବେତନ ଆଇନରେ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ସହ ସଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ମଧ୍ୟ ଉଲ୍ଲେଖ ରହିଛି ।