ଠକାମୀର ନୂଆ ଫର୍ମୁଲା, ଭିଡିଓ କଲ୍ କରି ଟଙ୍କା ଲୁଟିନେଲେ ସାଇବର ଲୁଟେରା ।

90

କନକ ବ୍ୟୁରୋ: ନ୍ୟୁଡ୍ ଭିଡିଓ କଲ କଲେ, ଆଇପିଏସ ଅଫିସର ପରିଚୟ ଦେଇ ଲୁଟ କଲେ । ସାଇବର ଥାନାରେ ଏମିତି ଏକ ଅଭିଯୋଗ ହେବା ପରେ ସାମନାକୁ ଆସିଛି ପୂରା କାହାଣୀ । ଠକେଇର ଶିକାର ହୋଇଥିବା ଖୋର୍ଦ୍ଧା ଜଟଣୀର ବିପିନ କୁମାର ମୁଦୁଲିଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ସବୁଦିନ ଭଳି ସେ ଔଷଧ ଦୋକାନରେ କାମ କରୁଥିଲେ । ଅଚାନକ ତାଙ୍କ ମୋବାଇଲକୁ ଜଣେ ଯୁବତୀ ଭିଡିଓ କଲ କରିଥିଲେ । ଭିଡିଓ କଲ ଉଠାଇ କିଛି ସମୟ କଥା ହୋଇଥିଲେ ବିପିନ । କଥା ହେବା ସମୟରେ ଯୁବତୀ ଜଣଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଯାଇଥିଲେ । ଆଉ ସେହି ସମୟର ଭିଡିଓକୁ ରେକର୍ଡିଂ କରି ନେଇଥିଲେ । ତାପରେ ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ । ନିଜକୁ ଆଇପିଏସ ଅଫିସର କହି ଧମକ ଚମକ ଦେଇଥିଲେ ।

ଧମକ ଚମକ ପରେ ଠକର କହିବା ଅନୁସାରେ ସେ ଦେଇ ଚାଲିଥିଲେ ଟଙ୍କା । ତିନିଟି କିସ୍ତିରେ ପ୍ରାୟ ୭୦ ହଜାର ଟଙ୍କା ଠକି ନେଇଯାଇଥିଲା ଠକ୍ । ଆଉ ଟଙ୍କା ଦେବାକୁ ଦାବି କରୁଥିଲା । ହେଲେ, ଆଉ ଟଙ୍କା ନଦେବାରୁ ବିପିନଙ୍କ ସହ ଭିଡିଓ କଲ କରିବା ସମୟର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା ଠକ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଭୟଭୀତ ହୋଇପଡିଥିଲେ ବିପିନ । ଆଉ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ । ତାପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଠକାମିର ଶିକାର ହେବା ପରେ ଅଜଣା ଲୋକର ଭିଡିଓ କଲକୁ ରିସିଭ ନକରିବାକୁ ଅନୁରୋଧ କରିଛନ୍ତି ବିପିନ ।