ମାସ ବଦଳିବା ସହ ଇତିହାସ ପାଲଟିଲା ବ୍ରିଟିଶ ଲ’ । ଦେଶରେ ଆଜିଠୁ ଲାଗୁ ହେଲା ନୂଆ ଅପରାଧିକ ଆଇନ ; ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ।

630

କନକ ବ୍ୟୁରୋ: ମାସ ଓ ତାରିଖ ବଦଳିବା ସହ ଇତିହାସ ପାଲଟିଲା ବ୍ରିଟିଶ ଆଇନ । ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ଆଜି ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ଏହା ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପିଙ୍ଗଳ କୋଡର୍୍, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ।

ନୂଆ ଆଇନରେ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯାଇଥିବା ବେଳେ ଏହାକୁ ପ୍ରଥମେ ନାଗରିକ, ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ୟାୟ ଭାବନାରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଜିରୋ ଏଫଆଇଆର, ପୁଲିସ ଅଭିଯୋଗର ଅନଲାଇନ ପଂଜୀକରଣ, ଏସଏମଏସ ଭଳି ବୈଦୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଅପରାଧ ପାଇଁ ଅପରାଧ ଦୃଶ୍ୟର ବାଧ୍ୟତାମୂଳକ ଭିଡ଼ିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆଇନ ବ୍ୟବସ୍ଥାରେ ପ୍ରତ୍ୟେକ ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ. ମହିଳା ଓ ଶିଶୁ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର ଏବଂ ଡିଜିଟାଲ ପ୍ରମାଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଦେଶରେ ଏହି ୩ଟି ନୂଆ ଅପରାଧିକ ଆଇନ ଲାଗୁ ହେବା ସହିତ ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତନ ଆସିଥିବା ଆଇନ ବିଶାରଦ ମାନେ ମତ ଦେଇଛନ୍ତି । ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧକୁ ରୋକିବାରେ ଏହି ୩ଟି ନୂଆ ଆଇନ ସହାୟକ ହେବାନେଇ ଦେଶବାସୀ ଆଶା ରଖିଛନ୍ତି । ୨୦୨୩ ମସିହା ଡିସେମ୍ବର ୨୧ରେ ଏହି ୩ଟି ବିଲ୍ ସଂସଦରେ ଗୃହୀତ ହେବାପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା, ଯାହା ଆଜିଠୁ ଦେଶରେ ଲାଗୁ କରାଯାଇଛି ।