କନକ ବ୍ୟୁରୋ: କେଇ ପଦ ମିଠା କଥା, ଟିକିଏ ଆପଣାପଣ, ଅଚିହ୍ନାକୁ ନିଜର କରିଦେଇଛି । ସାନ-ବଡ଼ର ଦୂରତାକୁ ଦୂରେଇ ଦେଇଛି । ମୁଖ୍ୟମନ୍ତ୍ରୀ ଏବେ ନିଜ ଲୋକ, ପାଖ ଲୋକ । ତାହା ହୋଇନଥିଲେ, ସାଧାରଣତଃ ଦିନେ ସାର କିମ୍ବା ଆଜ୍ଞା, ଥିବା ମୁଖ୍ୟମନ୍ତ୍ରୀ ଏବେ ଭାଇ ହୋଇନଥାନ୍ତେ । ମୋହନ ଭାଇ ଏବେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ ମିଶୁଛନ୍ତି, କଥା ହେଉଛନ୍ତି ଦୁଃଖ-ସୁଖ ବୁଝୁଛନ୍ତି ।

Advertisment

ବିଜୟ କୁମାର ଦାଶ, ପରିବହନ ବିଭାଗର ଜଣେ ୪ର୍ଥ ଶ୍ରେଶୀ କର୍ମଚାରୀ । ଅଚାନକ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଚକିତ ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜୟଙ୍କୁ ସୁଖ-ଦୁଃଖ ପଚାରିବା ସହ ପରିଚାର କେମିତି ଚଳୁଛି ବୋଲି ପଚାରି ବୁଝୁଥିଲେ । ଏତେ ବଡ଼ ପଦରେ ଥିବା ବ୍ୟକ୍ତିଙ୍କୁ ପାଖରେ ପାଇ ଭାବବିହ୍ୱଳ ହୋଇଯାଇଥିଲେ ପରିବହନ ବିଭାଗ ଏହି କର୍ମଚାରୀ । ସେହିପରି ବାଣୀ ବିହାର ଅଞ୍ଚଳରୁ ଯେଉଁ ଚିତ୍ରଟି ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଖୁସି କରିଦେଇଥିଲା । କୁନି ଝିଅ ଆରୁଷକୁ ପାଖରେ ପାଇ କାଖେଇ ନେଇଥିଲେ ନୂଆ ମୁଖ୍ୟମନ୍ତ୍ରୀ । କୁନି ଝିଅକୁ ନାଁ ପଚାରିଥିଲେ, ବଡ଼ ହେଲେ କ’ଣ ହେବ ପଚାରିଥିଲେ । ଛୋଟ ପିଲାଟିଏ ପ୍ରତି ଏହି ଶ୍ରଦ୍ଧା ଦେଖି ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ନକରି ରହିପାରିନଥିଲେ । ସମସ୍ତେ କହୁଥିଲେ ମୁଖ୍ୟମନ୍ତ୍ରୀ ହେବ ତ ଏମିତି!

ଲୋକଙ୍କ ମେଳରେ ଲୋକଟିଏ ହୋଇ ମିଳିମିଶି ଯିବାର କଳା ଆମ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବେଶ ଜଣା । ମୈତ୍ରୀ ବିହାରର ସାନ୍ତାଳ ସାହିର ସୀତା ଓ ମାଳତୀ ହେମ୍ବ୍ରମଙ୍କ ଘରେ ଅଚାନକ୍ ପହଞ୍ଚିିଯାଇଥିଲେ ମୋହନ ମାଝୀ । ସାଥିରେ ଥିଲେ ଦୁଇ ଉପ-ମୁଖ୍ୟମନ୍ତ୍ରୀ । ଶାସନର ଶୀର୍ଷରେ ଥିବା ଲୋକଙ୍କୁ ପାଖରେ ପାଇ ଅତି ଆଦରରେ ପାଛୋଟି ନେଇଥିଲେ ଦୁଇ ହେମ୍ବ୍ରମ ପରିବାର । କେମିତି ଅଛନ୍ତି, କେମିତି ଚଳୁଛନ୍ତି, ସବୁ ବଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସରଳ, ସାଧାରଣ ମଣିଷଟିଏ । ଆଚରଣ ଯେମିତି, ଉଚ୍ଚାରଣ ସେମିତି । ପଦେ ମିଠା କଥା କହି ମନ ମୋହି ନେଉଛନ୍ତି ମୋହନ । ଶାସନ ଆରମ୍ଭରୁ ସାଧାରଣ ଲୋକଙ୍କ ନିକଟତର ହେଉଥିବା ଦେଖି, କଥା ଛଳରେ ଲୋକେ କହିବା ଆରମ୍ଭ କରିଦେଲେଣି ପିପୁଲ୍ସ ସିଏମ୍ ବା ଲୋକଙ୍କ ମୁଖ୍ୟମନ୍ତ୍ରୀ ।