୧୨ ତାରିଖ ଅପରାହ୍ନ ୪ଟା ୪୫ ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ । ପୋଲିସ କମିଶନରଙ୍କ ସୂଚନା ।

1,876

କନକ ବ୍ୟୁରୋ: ୧୨ ତାରିଖ ଅପରାହ୍ନ ୪ଟା ୪୫ରେ ଶପଥ ଗ୍ରହଣ କରିବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶପଥପାଠ ସମାରୋହରେ ଯୋଗଦେବେ ପାଖାପାଖି ୩୫ ହଜାର ଜନତା । ଏଥିପାଇଁ ଜନତା ମୈଦାନ ସୁରକ୍ଷାର ପ୍ରତିଟି ଦିଗ ଉପରେ କମିସନରେଟ୍‌ ନଜର ରଖିଛି। ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ୟ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୋଦ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ପ୍ରତିଦିନ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଘନ ଘନ ବୈଠକ କରିବା ସହ ସୁରକ୍ଷା ଦିଗ ଉପରେ ଆଲୋଚନା କରୁଛନ୍ତି।

ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ୟ୍ୟକ୍ରମ ରହିଥିବା ବେଳେ ଏଥିପାଇଁ ମାରାଥନ ମିଟିଂ ପୋଲିସ ସେବା ଭବନରେ ଚାଲିଛି ।ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ହୋଟେଲଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସେହିପରି ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଜନତା ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଯୋଗଦେବେ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ହୋଟେଲ୍‌ଗୁଡ଼ିକରେ ଭିଭିଆଇପିଙ୍କ ରହଣି ବ୍ୟବସ୍ଥା ମଧ୍ୟ ହୋଇଛି। ଶପଥ ଗ୍ରହଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ପୂର୍ବରୁ ଏସପିଜି ଟିମ୍‌, ଡିଜିପି ଅରୁଣ ଷଡ଼ଙ୍ଗୀ, ପୋଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂହ ଜନତା ମୈଦାନର ସ୍ଥିତି ସମୀକ୍ଷା ମଧ୍ୟ କରିଛନ୍ତି।